ଦନ୍ତାର ନରସଂହାର : ରାତିକରେ ନେଲା ୫ ଜୀବନ, ଟ୍ରାଙ୍କୁଲାଇଜ୍ କଲେ ଭୁବନେଶ୍ୱର ଟିମ୍, ଭୟରେ ଥରୁଛନ୍ତି ଅଞ୍ଚଳବାସୀ

ତାଳଚେର/ଥର୍ମାଲ୍ : ତାଳଚେର ସହର ଉପକଣ୍ଠରେ ଗତ ରାତିରେ ଏକ ଦନ୍ତାହାତୀର ତାଣ୍ଡବଲୀଳା ଅଂଚଳବ୍ୟାପୀ ଆତଙ୍କ ଖେଳାଇ ଦେଇଛି। ଏହି ରକ୍ତମୁଖା ଦନ୍ତା ଷଣ୍ଢଗାଁ ଓ ସନ୍ଥାପଡ଼ାରେ ପଶି ଗୋଟିଏ ପରିବାରର ତିନି ସଦସ୍ୟଙ୍କ ସମେତ ୫ ଜଣଙ୍କୁ ପାଦରେ ଦଳି ଜୀବନ ନେଇଛି। ଗୋଟିଏ ରାତିରେ ଦୁଇ ପଡ଼ୋଶୀ ଗାଁରେ ହାତୀ ଆକ୍ରମଣରେ ପାଂଚ ଜଣଙ୍କ ଜୀବନ ଯିବା ଘଟଣା ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି। ଆଜି ସକାଳେ ଏହି ଘଟଣା ପ୍ରଚାରିତ ହେବା ପରେ ସାରା ସହର ତଥା ଆଖପାଖରେ ହାତୀକୁ ନେଇ ଆତଙ୍କ ଖେଳିଯାଇଛି। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ୍‌ ତାଳଚେରରେ ପହଞ୍ଚି ସଂଧ୍ୟାରେ ଏହି ଦନ୍ତାହାତୀକୁ ଟ୍ରାଙ୍କୁଲାଇଜ୍ କରି କରାୟତ୍ତ କରିଥିବା ଖବର ମିଳିଛି। ଫଳରେ ଦନ୍ତା ଉତ୍ପାତ ନେଇ ଆତଙ୍କିତ ଲୋକେ କିଛି ମାତ୍ରାରେ ଆଶ୍ବସ୍ତ ହୋଇଛନ୍ତି।

ବନ ବିଭାଗ ସୂଚନା ଅନୁଯାୟୀ, ଢ଼େଙ୍କାନାଳ ଜିଲ୍ଲା ସରାଙ୍ଗ କିମ୍ବା ପିତିରି ଅଂଚଳରୁ ବ୍ରାହ୍ମଣୀ ନଦୀ ପାର ହୋଇ ଗତକାଲି ଏକ ହାତୀ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ତାଳଚେର ଉପକଣ୍ଠରେ ପହଞ୍ଚିଥିଲା। ବ୍ରାହ୍ମଣୀ କୂଳ ରାସ୍ତାରେ ଯାଇ ହାତୀଟି ଷଣ୍ଡ ଗାଁ’ରେ ପହଞ୍ଚିଥିଲା। ସେହି ସମୟରେ ଗାଁ ରାସ୍ତା କଡ଼ରେ ଥିବା ଏକ ତେନ୍ତୁଳି ଗଛ ମୂଳରେ ବରଡା କୁଡ଼ିଆରେ ଦୁଇଟି ପରିବାର ଶୋଇଥିଲେ। ହାତୀ ଗର୍ଜନ ଶୁଣି ଗୋଟିଏ କୁଡିଆରେ ଶୋଇଥିବା ଦୁଇ ଜଣ ବ୍ୟକ୍ତି ଦୌଡ଼ି ଏକ ଗଛମୂଳକୁ ପଳାଇ ଯାଇଥିଲେ। ଅନ୍ୟ କୁଡିଆରେ ଥିବା ଚାରିଜଣ କୁଡ଼ିଆ ବାହାରକୁ ବାହାରିଥିଲେ ମଧ୍ୟ ସମ୍ମୁଖରେ ହାତୀକୁ ଦେଖି ଭୟରେ ଯାଇ ନ ପାରି ତଳେ ବସି ପଡ଼ିଥିଲେ। ଏହାପରେ ହାତୀ ସମସ୍ତଙ୍କୁ ପାଦରେ ଦଳି ଦେଇଥିଲା। ଘଟଣାସ୍ଥଳରେ ସମସ୍ତ ଚାରିଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ମୃତକମାନେ ହେଲେ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଖଦରମୁଣ୍ଡା ଗ୍ରାମର କାଳିଆ ସିଂହ(୨୫),କାଳିଆଙ୍କ ଦେଢ଼ ବର୍ଷର ଝିଅ ଅନିଷା ସିଂହ, କାଳିଆଙ୍କ ଭଉଣୀ ସାରଥି ସିଂହ(୧୬) ଓ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଅଂଚଳର ସୁନିତା ସେଠ(୩୫)। ସେମାନେ ସମସ୍ତେ ନିକଟରେ ଥିବା ଏକ ଇଟାଭାଟିରେ କାମ କରିବା ସହ ଜରି ଗୋଟା ଓ ମୂଲ ଲାଗି ଚଳୁଥିଲେ।

ଏହାପରେ ହାତୀ ସନ୍ଥପଡ଼ା ଗାଁ ଆଡକୁ ମାଡ଼ିଯାଇଥିଲା। ସନ୍ଥପଡ଼ା ନୂଆସାହିର ଗୁରୁବାରି ଓ ତାଙ୍କ ବୋହୂ ଘରେ ଶୋଇଥିଲେ। ହାତୀଟି ଘର ଭାଙ୍ଗିବାରୁ ସେମାନେ ପ୍ରାଣ ବିକଳରେ ଅନ୍ଧାରରେ ସାହି ଭିତରକୁ ଦୌଡ଼ି ପଳାଇଥିଲେ। ହାତୀ ଘର ଭାଙ୍ଗି ଧାନ ଖାଇବା ପରେ ନିକଟରେ ଥିବା ଗୋପବନ୍ଧୁ ସାହୁଙ୍କ ଘର ବଗିଚାରେ ପଶି ଆଖୁ ଖାଇବା ସହ ଦଳିଚକଟି ନଷ୍ଟ କରିଥିଲା। ଏହି ସମୟରେ ଘର ବାହାରକୁ ପରିସ୍ରା ପାଇଁ ଉଠିଥିବା ଭ୍ରମରବର ସାମଲ(୬୫)ଙ୍କୁ ମଧ୍ୟ ହାତୀ ସମ୍ମୁଖରେ ପାଇ ଦଳି ଦେଇଥିଲା। ଘଟଣାସ୍ଥଳରେ ଭ୍ରମରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପରେ ହାତୀ ଯାଇ କୁରୁପା ସାମଲଙ୍କ ଘର କବାଟ ଭାଙ୍ଗି ଧାନ ବସ୍ତା ଟେକି ନେଇ ନଷ୍ଟ କରିଥିଲା। ପରେ ଆଉ ଦୁଇ ଜଣଙ୍କ ଘର ଆଂଶିକ ଭାଙ୍ଗି ପଳାଇଯାଇଥିଲା। ହାତୀ ଉପଦ୍ରବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଗ୍ରାମବାସୀ ମୃତକଙ୍କ ପରିବାର ଓ ଘର ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଖବର ପାଇ ତାଳଚେର ପୁଲିସ ଓ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ସମସ୍ତ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ ଡାକ୍ତରଖାନା ପଠାଇଥିଲା। ମୃତ୍ୟୁର ତାଣ୍ଡବ ଘଟାଇଥିବା ହାତୀକୁ ବନ ବିଭାଗ କର୍ମଚାରୀମାନେ ଥର୍ମାଲ ଆସ୍‌ପଣ୍ଡ ନିକଟରେ ଠାବ କରିଥିଲେ। ଭୁବନେଶ୍ୱରରୁ ଟ୍ରାଙ୍କୁଲାଇଜର ଟିମ୍ ଆସି ଅପରାହ୍ଣ ଦୁଇଟା ବେଳେ ତାଳଚେରରେ ପହଞ୍ଚିଥିଲେ। ଟ୍ରାଙ୍କୁଲାଇଜ୍ ପାଇଁ ଉଦ୍ୟମ କରିବା ବେଳେ ହାତୀଟି ଆସ୍‌ପଣ୍ଡ ଜଙ୍ଗଲକୁ ପଶିଯିବାରୁ ଏହା ସମ୍ଭବ ହୋଇ ନଥିଲା। ତେବେ ସଂଧ୍ୟାରେ ତାକୁ ଟ୍ରାଙ୍କୁଲାଇଜ୍ କରି ଦାନ୍ତ କଢା ଯାଇଥିବା ବନ ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର