କାମେଲଗୁଡ଼ାରେ ୫ ଜଣଙ୍କ ମୃତ୍ୟୁ ପରେ ଛନକା, ଗୁଣିଗାରେଡ଼ି ନେଇ ଗ୍ରାମବାସୀଙ୍କ ସନ୍ଦେହ

ମାଲକାନଗିରି : ଗୁଣିଗାରେଡ଼ିକୁ କେନ୍ଦ୍ର କରି ମାଲକାନଗିରି ଜିଲ୍ଲାରେ ବାରମ୍ବାର ଅଭାବନୀୟ ଘଟଣା ଘଟୁଛି। ଏପରିକି ଅକାଳରେ ଅନେକ ଜୀବନ ଚାଲିଯିବାର ନଜିର ରହିଛି। ଏଥିପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରିବାକୁ ଅଭିଯାନ ହୋଇଥିଲା। ଏହା ସତ୍ତ୍ବେ ଜିଲ୍ଲାରେ ଲୋକେ ଅନ୍ଧବିଶ୍ବାସର ସାହାରା ନେଉଥିବା ଦେଖିବାକୁ ମିଳିଛି। ସଦ୍ୟତମ ଘଟଣାରେ ଜିଲ୍ଲା କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ କାମେଲଗୁଡ଼ା ଗ୍ରାମବାସୀ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଉପରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ। ଯାହାକୁ ନେଇ ଆଗାମୀ ଦିନରେ ଅଘଟଣ ଘଟିଥିବାର ଆଶଙ୍କା ରହିଥିବା ବେଳେ ଏହା ପୂର୍ବରୁ ଆଦିବାସୀ ସଂଘ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କାମେଲଗୁଡ଼ା ଗାଁର ୫ଜଣଙ୍କ ଗତ ଦିନରେ ଅସ୍ବାଭାବିକ ମୃତ୍ୟୁ ହୋଇଥିଲା। ଗ୍ରାମବାସୀ କେହି ଗୁଣି କରି ସେମାନଙ୍କୁ ହତ୍ୟା କରୁଥିବା ସନ୍ଦେହ କରିଥିଲେ। ଆଉ ସବୁ ସନ୍ଦେହ ଯାଇ ଅଟକିଥିଲା ଗାଁର ଲାଛମା ମାଡ଼କାମୀଙ୍କ ଉପରେ। ତେବେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବାପୂର୍ବରୁ ଲଛମାଙ୍କ ସଂପର୍କରେ କିଛି ଲୋକ ଆଦିବାସୀ ସଂଘକୁ ଜଣାଇଥିଲେ। ଏହାପରେ ଆଦିବାସୀ ସଂଘ ସଭାପତି ଘନଶ୍ୟାମ ମାଡ଼କାମୀ, ସଂପାଦକ ନରସିଂହ ମାଡ଼କାମୀ, ମୁକୁନ୍ଦ ପଡ଼ିଆମି, ପୂର୍ବତନ ବିଧାୟକ ମାନସ ମାଡ଼କାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, କାଲିମେଳା ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ି, ପଡ଼ିଆ ବ୍ଲକ ଅଧ୍ୟକ୍ଷ ଦେବା ମାଡ଼କାମୀ, ସୁବାସ ପଡ଼ିଆମି ପ୍ରମୁଖ ଗାଁରେ ପହଞ୍ଚିଥିଲେ। କଥାବାର୍ତ୍ତା ମାଧ୍ୟମରେ ଲୋକଙ୍କ ଆଶଙ୍କା ଏବଂ ଦ୍ବନ୍ଦ୍ବ ଦୂର କରିବାକୁ ପ୍ରୟାସ ହୋଇଥିଲା। ଆଲୋଚନା କାଳରେ ଗ୍ରାମର ସନିଆ ପଡ଼ିଆମି, ରାମ କାବାସୀ, ଭୀମି ସୋଡ଼ି, ରାମା ମାଢ଼ି, ଦେବେନ୍ଦ୍ର କାବାସି ପ୍ରମୁଖଙ୍କ ସହ ଅନ୍ୟମାନେ ଅଭିଯୋଗ କରିଥିଲେ ଯେ, ଲଛମା ଗୁଣିଗାରେଡ଼ି କରୁଛନ୍ତି। ଲଛମାଙ୍କ ଭାଇ କୋଡ଼ିଆମେଟାଲ ଗ୍ରାମରେ ବାସ କରନ୍ତି। ସେ ଗୁଣିଗାରେଡ଼ି କରୁଥିବା ବେଳେ ଲଛମା ମଧ୍ୟ ତାଙ୍କ ନିକଟକୁ ଯାଇ ତାହାକୁ ଶିକ୍ଷା କରୁଛନ୍ତି। ତେଣୁ ଗାଁର ୫ଜଣ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ। ଏହାପରେ ଲଛମାକୁ ସଫେଇ ଦେବାକୁ ସୁଯୋଗ ଦିଆଯାଇଥିବା ବେଳେ ଏଭଳି କିଛି କରି ନ ଥିବା ସେ କହିଥିଲେ। ତେବେ ସେ ଗୁଣିଗାରେଡ଼ି କରୁ ନ ଥିବା ନେଇ କଣ ପ୍ରମାଣ ରହିଛି ବୋଲି ପ୍ରଶ୍ନ କରାଯାଇଥିଲା। ଗ୍ରାମର ପୂଜାରୀ କହିଥିଲେ ଯେ, ଗ୍ରାମଦେବୀଙ୍କ ନିକଟରେ ଲଛମା ପ୍ରମାଣ କଲେ ହିଁ ସେ ଠିକ୍‌ କହୁଥିବା ସ୍ବୀକାର କରାଯିବ।

ସଂଧ୍ୟାରେ ସମସ୍ତ ଲୋକପ୍ରତିନିଧିଙ୍କ ସାମ୍ମୁଖରେ ଗ୍ରାମଦେବୀଙ୍କ ନିକଟରେ କୁକୁଡ଼ା, ଅଣ୍ଡା ଦେଇ ପୂଜା କରାଯାଇଥିଲା। ପରେ ଗୋଟିଏ ବହି ଉପରେ ଗୋବର ରଖାଯାଇ ଦୀପ ଲଗାଯାଇଥିଲା। ଲଛମା ସେହି ବହିକୁ ମୁଣ୍ଡରେ ଧରି ଗ୍ରାମଦେବୀଙ୍କ ନିକଟରେ ପ୍ରମାଣ କରିଥିଲେ ଯେ, ସେ ଏଭଳି ଜଘନ୍ୟ କାମ କରିନାହାନ୍ତି। ଏହାପରେ ପୂଜାରୀ କହିଥିଲେ ଯଦି ଗୁଣିଗାରେଡି କରିଥିବୁ ତେବେ ତୋର ବିନାଶ ହେବ, ଯଦି କିଛି କରିନଥିବୁ ତେବେ ତୋର କିଛି ହେବ ନାହିଁ ବୋଲି କହିବା ପରେ ସେଠାରୁ ସମସ୍ତେ ଫେରିଥିଲେ। ଗୁଣିଗାରେଡ଼ିକୁ ନେଇ ଅତିଥିମାନେ ଆଲୋଚନା କରିଥିଲେ। ଜିଲ୍ଲାରେ ଗୁଣିଗାରେଡ଼ି କରୁଥିବା ଲୋକଙ୍କୁ ଧରି ପୁଲିସ ନିକଟରେ ହାଜର କରାଇବେ ବୋଲି ଚେତାବନୀ ଦେଇଥିଲେ। ଜିଲ୍ଲାର ଯେ କୌଣସି ସ୍ଥାନରେ ଯଦି ଗୁଣିଗାରେଡ଼ିକୁ ନେଇ କୌଣସି ସମସ୍ୟା ଉପୁଜୁଛି ତେବେ ତୁରନ୍ତ ଆଦିବାସୀ ସଂଘ ସହ ଆଲୋଚନା କରିବା ପାଇଁ ସଭାପତି ଘନଶ୍ୟାମ ମାଡ଼କାମୀ ପ୍ରକାଶ କରିଥିଲେ। ଜିଲ୍ଲାରେ ଆଗାମୀ ଦିନରେ ଗୁଣିଗାରେଡ଼ିକୁ ନେଇ ଲୋକଙ୍କୁ ସଚେତନ କରାଯିବ ବୋଲି କୁହାଯାଇଛି। ଏଭଳି ହେଲେ ହୁଏତ ଆଗକୁ ଏହି ଅନ୍ଧବିଶ୍ବାସ ଦୂର ହେବ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର