ଦୁଇଟି ଦୁର୍ଘଟଣା: ୫ ମୃତ

ହାଇଡ୍ରା ଗାଡ଼ି- ବାଇକ୍‌ ଧକ୍କା, ୩ ମୃତ; ଦୁଇ ବାଇକ ମୁହାଁମୁହିଁ: ଦୁଇ ମୃତ

ଦେଓଗାଁ/ଗୁଡ଼ଭେଲା : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଦେଓଗାଁ- ତୁଷୁରା ରାସ୍ତାର ରେଲୱେ ଗେଟ୍‌ ନିକଟରେ ସୋମବାର ଏକ ହାଇଡ୍ରା ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବଲାଙ୍ଗୀର ସାଗରପଡ଼ାର ହେମନ୍ତ ମନହୀରା, ନୁଆଁଖାଉ ଚାଆର ଓ ବଲାଙ୍ଗୀର ଇଚ୍ଛାପଡ଼ାର ପେଟୁ ମହାଲିଙ୍ଗ।

ପ୍ରକାଶ ଯେ, ଉକ୍ତ ତିନି ଯୁବକ ବାଇକ୍‌ ତୁଷରା ଉଡ଼ାଜାହାଜ ପଡ଼ିଆ କାନ୍ଥରେ ପେଣ୍ଟିଂ କାମ ସାରି ଦିନ ୧୨ଟାରେ ବାଇକ୍‌ (ଓଡି ୦୩ ଏନ ୮୮୭୫) ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦେଓଗାଁ ପଟରୁ ଯାଉଥିବା ହାଇଡ୍ରା ଗାଡ଼ି (ଓଡି ୦୩ ଏନ ୭୨୨୮) ସହ ରେଲୱେ ଗେଟ୍‌ଠାରୁ ୫ ଶହ ମିଟର ଦୂର ବୁଲାଣିରେ ସେମାନଙ୍କ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ହେମନ୍ତଙ୍କ ମୃତ୍ୟୁ ଘଟିଥିଲା। ଦେଓଗାଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଥିବା ନୁଆଁଖାଉ ଓ ପେଟୁଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ପଠାଇଥିଲେ। ସେଠାରୁ ଉଭୟଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ନେବା ବାଟରେ ନୁଆଁଖାଉଙ୍କ ଓ ବୁର୍ଲା ଡାକ୍ତରଖାନାରେ ପେଟୁଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ କ୍ଷତିପୂରଣ ଦାବି କରି ମୃତକଙ୍କ ପରିବାର ଲୋକେ ଶବ ରଖି ଦେଓଗାଁ- ତୁଷୁରା ରାସ୍ତାକୁ ୩ ଘଣ୍ଟା ଅବରୋଧ କରିଥିଲେ। ତୁଷୁରା ଥାନା ଆଇଆଇସି ଯଶୋବନ୍ତ ପ୍ରଧାନୀ, ଏସ୍‌ଆଇ ତୁଳସୀରାମ ଶବର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କ୍ଷତିପୂରଣ ବାବଦରେ ହାଇଡ୍ରା ଗାଡ଼ି ମାଲିକ କିଛି ଆର୍ଥିକ ସହାୟତା ଦେବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଏନେଇ ତୁଷୁରା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ଦୁଇ ବାଇକ ମୁହାଁମୁହିଁ: ଦୁଇ ମୃତ
ଅଡ଼ବା : ସୋମବାର ଅପରାହ୍‌ଣରେ ଦମାଦୁଆ ନିକଟରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନେ ହେଲେ- ଛେଳିଗଡ଼ର ରେମେନସନ ବୀର ଓ ଦମାଦୁଆର ଶୂନ ନାୟକ। ଅନ୍ୟ ୩ ଜଣ ଗୁରୁତର ‌ଆହତ ହୋଇଛନ୍ତି।

ରେମେନସନ ଓ ଆୟୁଷ୍ମାନ ବାଇକୁର ଯାଉଥିବା ବେ‌େଳ ଗାଧୋଇ ସାରି ଶୂନ ଓ ତାଙ୍କର ଦୁଇ ଜଣ ବନ୍ଧୁ ଅନ୍ୟ ଏକ ବାଇକରେ ଘରକୁ ଫେରୁଥିଲେ। ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ରେମେନସନ ପ୍ରାଣ ହରାଇଥିବା ବେଳେ ଶୂନ ମେଡ଼ିକାଲରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଆୟୁଷ୍ମାନଙ୍କ ସମେତ ଅନ୍ୟ ଦୁଇ ଜଣଙ୍କୁ ମୋହନା‌େର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର