ଏମିତି ଆସିଲା ମୃତ୍ୟୁ : ଛିଟ୍‌କି ପଡ଼ିଲେ, ଟ୍ରକ୍‌ ଚଢ଼ିଗଲା, ଆଖି ବୁଜିଲେ ୫ ଯୁବକ

ବେତନଟୀ : ଏମିତି ଆସିଲା ମୃତ୍ୟୁ! ଦୁଇଟି ମୋଟରଗାଡ଼ି ମଧ୍ୟରେ ଧକ୍କା ହେବା ଫଳରେ ୫ ଜଣ ଆରୋହୀ ରାସ୍ତା ଉପରେ ଛିଟ୍‌କି ପଡ଼ିଲେ। ଠିକ୍‌ ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ସେମାନଙ୍କ ଉପରେ ଚଢ଼ିଗଲା। ଫଳରେ, ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିଲାବେଳେ ହସ୍ପିଟାଲରେ ଜଣକର ମୃତ୍ୟୁ ହୋଇଛି। ଏମାନେ ସମସ୍ତେ ହେଉଛନ୍ତି ଯୁବକ ଏବଂ ଦୁଃଖଦ ମୃତ୍ୟୁ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳ ପାଇଁ ଆଜି ଥିଲା ଅଶୁଭ ସୋମବାର। ଏହି ଜିଲ୍ଲାର ବୈଶିଙ୍ଗା ଥାନା ଅଧୀନ ବ୍ରହ୍ମପୁରାର ରାଜା ଓରଫ ବିଶ୍ବଜିତ ପଣ୍ତା (୩୦), ବାଙ୍କୁଆ ପାତ୍ର (୪୫) ଓ ଡାଙ୍ଗରିପୁରାର ସୁଧୀର ପ୍ରଧାନ (୩୮) ଗତକାଲି ମଧୁବନକୁ ଏକ ବିବାହ କାର୍ଯ୍ୟରେ ରାନ୍ଧୁଣିଆ ଭାବେ ଯାଇଥିଲେ। ଏହି ଦଳର ମୁଖ୍ୟ ରାନ୍ଧୁଣିଆ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ସହିତ ଅନ୍ୟ ୧୭ ଜଣ ରାନ୍ଧୁଣିଆ ମଧ୍ୟ ଥିଲେ। ରନ୍ଧା କାର୍ଯ୍ୟ ସରିବା ପରେ ସମସ୍ତେ ମୋଟର ସାଇକେଲରେ ଘରକୁ ଫେରୁଥିଲେ। ପୂର୍ଣ୍ଣଚନ୍ଦ୍ର ଓ ଅନ୍ୟ ସହକର୍ମୀମାନେ ବେତନଟୀ ବଙ୍ଗଳାଛକରେ ପହ‌ି ରାଜା ଓ ଅନ୍ୟମାନେ ଆସୁଥିବା ରାସ୍ତାକୁ ଚାହିଁ ବସିଥିଲେ। ହେଲେ ସେମାନେ ଆଉ ଫେରିଲେ ନାହିଁ। ରାଜା, ବାଙ୍କୁଆ ଓ ସୁଧୀର ଗୋଟିଏ ବଜାଜ ପଲସର(ନମ୍ବର ଓଡି୧୧କେ-୨୮୬୧)ରେ ଫେରୁଥିବା ସମୟରେ ଡୁମାପଦାର ରାମଜିତ ମାଝୀ (୨୩) ଓ ତାଙ୍କ ଘରକୁ ଆସିଥିବା ବାଲେଶ୍ବର ଜିଲ୍ଲା ଫୁଲାଡ଼ିର ପ୍ରଭାତ ଷେଣ୍ଢ (୨୮) ଗୋଟିଏ ସ୍କୁଟର (ନମ୍ବର ଓଡି୦୧ୱାଇ-୯୩୧୩)ରେ ବେତନଟୀ ବଙ୍ଗଳାଛକ ଆସୁଥିଲେ। ତେବେ ତାରାକୋଠି ଶିବ ମନ୍ଦିର ନିକଟରେ ପଲସର ଓ ସ୍କୁଟର ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଦୁଇଟି ଗାଡ଼ିରେ ଥିବା ୫ଜଣ ଯାକ ଯୁବକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ। ଏହି ସମୟରେ ଗୋଟିଏ ଦ୍ରୁତଗାମୀ ଦଶଚକିଆ ଟ୍ରକ୍‌ ଏହି ଯୁବକମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ରାଜା, ବାଙ୍କୁଆ, ସୁଧୀର ଓ ରାମଜିତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ଗୁରୁତର ଆହତ ପ୍ରଭାତଙ୍କୁ ପ୍ରଥମେ ବାରିପଦା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକ ନେବା ରାସ୍ତାରେ ବାଲେଶ୍ବରଠାରେ ପ୍ରଭାତଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ ବ୍ୟବଚ୍ଛେଦ ପାଇଁ ପଠାଇ ୨୦/୧୯ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ହୋଇ ଫେରିବା ପରେ ଡାଙ୍ଗରିପୁରା ଓ ବ୍ରହ୍ମପୁରାରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର