ରେଢ଼ାଖୋଲ : ସଡ଼କ ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି। ରେଢ଼ାଖୋଲ ପୁଲିସ୍‌ ଉଭୟ ଶବକୁ ଜବତ କରିଛି। ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ। ବାଇକ୍‌ରେ ଯାଉଥିବା ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ସଂଜାମୁରା ବଙ୍କାପଲସା ଗାଁର ରଂଜନ ମିର୍ଧା (୩୦) ଓ ସୁମନ୍ତ ମିର୍ଧା (୩୫) ଉଭୟ ସଂପର୍କୀୟ ଭାଇ କିଶୋରନଗରରୁ ସଂଧ୍ୟାରେ ବାଇକ୍‌ରେ ଫେରୁଥିଲେ। ରାସ୍ତାରେ ଭାରସାମ୍ୟ ହରାଇ ଦୁହୁଲି ନିକଟ ଏକ ପୋଲ ନିକଟରେ ସେମାନେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ କିଶୋର ନଗର ଏବଂ ପରେ ଆମ୍ବୁଲାନ୍‌ସରେ ରେଢ଼ାଖୋଲ ଡାକ୍ତରଖାନାକୁ ଅଣା ଯାଇଥିଲା। ରାସ୍ତାରେ ରଂଜନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସୁମନ୍ତଙ୍କ ମଧ୍ୟ ପ୍ରାଣବାୟୁ ଉଡ଼ିଯାଇଥିଲା।

Advertisment

ଏହାକୁ ମିଶାଇ ବୁଧବାର ଗୋଟିଏ ଦିନରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପଞ୍ଚଗାଁ ଛକରେ ଏକ କୋଇଲା ବୋଝେଇ ଟ୍ରକରେ ପିଟି ହୋଇ ବାଇକ ଆରୋହୀ ଅଜୟ ଖଡ଼ିଆଙ୍କ ମୃତ୍ୟୁ ହୋଇଛି। ସେହିପରି ବରଗଡ଼ ରେଳେଓ୍ଵ ଷ୍ଟେସନ ରୋଡରେ ଟ୍ରକ ଚାପାରେ ଜନୈକ ଯୁବକ ବିକି କେରକେଟା ଓ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିକଟସ୍ଥ ଚେରୁପାଲି ଅଙ୍ଗନଦୀ ବ୍ରିଜରେ ଏକ ଅଜଣା ଗାଡ଼ି ଧକ୍କାରେ ଅଗ୍ନି ଭୋଇ(୨୧) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।