ରାୟଗଡ଼ା / କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକାରପାଇ ପଞ୍ଚାୟତ ଅନ୍ତର୍ଗତ ଉପରସଜା ଗାଁରେ ଛାତି ଥରାଇଲା ଭଳି ଘଟଣା ଘଟିଛି। ଆଜି ସକାଳେ ନିର୍ମାଣାଧୀନ ପୋଲର ‌ସେଣ୍ଟ୍ରିଂ ଭୁଶୁଡ଼ି ଯିବାରୁ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଉପରସଜା ଗ୍ରାମର ଲକ୍ଷ୍ମୀଧର ମିଣିଆକା (୪୫ବର୍ଷ), ତାଙ୍କ ୫ବର୍ଷର ପୁଅ ପ୍ରିନ୍ସ ମିଣିଆକା, ରାଜୁ ମିଣିଆକାଙ୍କ ୮ବର୍ଷର ପୁଅ ସାରଣ ମିଣିଆକା ଓ ସୁମନ ମିଣିଆକା, ରମେଶ କୁଲେସିକାଙ୍କ ୫ବର୍ଷର ପୁଅ ମନୋଜ କୁଲେସିକା ବୋଲି ସୂଚନା ମିଳିଛି। ଏହି ଅଘଟଣରେ ଅନ୍ୱେଷ ମିଣିଆକା (୫ବର୍ଷ) ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତଥାପି ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ସ୍ବାମୀ ଲକ୍ଷ୍ମୀଧର ଏବଂ ପୁଅ ପ୍ରିନ୍ସକୁ ହରାଇବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଦୀପାଇ ମିଣିଆକା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କଟଲପାଡୁ ଠାରୁ ଉପରସଜା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ୪ମାସ ତଳେ ଉପରସଜା ନିକଟସ୍ଥ ଜାପିଙ୍ଗ ନାଳରେ ଠିକାଦାର କଲଭର୍ଟ କାମ ଆରମ୍ଭ କରି ସେଣ୍ଟ୍ରିଂ ପକାଇ ଛାଡ଼ି ଦେଇଥିଲେ। ଯାହାଫଳରେ କଲଭର୍ଟ ତଳେ ପାଣି ଜମି ରହିଥିବାରୁ ଆଜି ସକାଳେ ଲକ୍ଷ୍ମୀଧରଙ୍କ ସହ ୫ଶିଶୁ ଗାଧୋଇବାକୁ ଯାଇଥିଲେ। ବର୍ଷା ମାଡ଼ରେ ଦୁର୍ବଳ ହୋଇଯାଇଥିବା ସେଣ୍ଟ୍ରିଂ ହଠାତ୍‌ ଭୁଶୁଡ଼ି ଯିବାରୁ ସମସ୍ତେ ତଳେ ଚାପି ହୋଇ ରହିଯାଇଥିଲେ। ଗ୍ରାମବାସୀ ପହଞ୍ଚି ଉଦ୍ଧାର କରିବା ପୂର୍ବରୁ ଶ୍ବାସରୁଦ୍ଧ ହୋଇ ଲକ୍ଷ୍ମୀଧର, ପ୍ରିନ୍ସ, ସାରଣ, ସୁମନ ଓ ମନୋଜଙ୍କ ମୃତ୍ୟୁ ହୋଇସାରିଥିଲା। ଗୁରୁତର ଅବସ୍ଥାରେ ଅନ୍ବେଷଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ।
ମୃତକଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିବା ପରେ ହୃଦୟ ବିଦାରକ ପରିବେଶ ସୃଷ୍ଟି ହୋଇଥିଲା। କାନ୍ଦ ବୋବାଳି ମଧ୍ୟରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ସ୍ବାମୀ ଓ ପୁଅକୁ ହରାଇଥିବା ଦୀପାଇ ମିଣିଆକା ଚରମ ନିଷ୍ପତ୍ତି ନେଇଥିଲେ। ଘରେ ରହିଥିବା କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗ୍ରାମବାସୀଙ୍କ ନଜରକୁ ଏହି ଦୃଶ୍ୟ ଆସିବା ପରେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଦୀପାଇଙ୍କୁ ଡାକ୍ତରଖାନା ନେଇଥିଲେ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।