ବେଗୁନିଆପଡ଼ା/କୋଦଳା/କବିସୂର୍ଯ୍ୟନଗର/ ଅନୁଗୁଳ : ସଂସାର ଉଜାଡ଼ି ଦେଉଛି ସାପ। ଗତ ୨୪ ଘଣ୍ଟା ଭିତରେ ସାପ କାମୁଡ଼‌ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାର ଦୁଇଟି ପୃଥକ୍ ସ୍ଥାନରେ ସର୍ପାଘାତରେ ମା’ପୁଅଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନୁଗୁଳ ଜିଲ୍ଲାରେ ଦୁଇ ଭଉଣୀ ଆଖି ବୁଜିଛନ୍ତି। ଏଭଳି ଦୁଃଖଦ ଘଟଣା ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Advertisment

ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅର୍ନ୍ତଗତ ବି. ନୂଆପଲ୍ଲୀ ଗାଁରେ ରବିବାର ରାତିରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡି ଦେବାରୁ କାଳିଆ ପରିଡାଙ୍କ ପତ୍ନୀ ମନାସ ପରିଡା(୩୨) ଏବଂ ତାଙ୍କ ୪ ବର୍ଷର ସାନ ପୁଅ ଆଶିଷର ମୃତ୍ୟୁ ଘଟିଛି। ଗୋଟିଏ ଘରେ ତଳେ ମଶିଣା ପକାଇ ମା କୋଳରେ ପୁଅ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ଉଭୟଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ସେମାନଙ୍କ ନିଦ ଭାଙ୍ଗି ଯାଇଥିଲା। ସାପଟି ପ୍ରଥମେ ପୁଅକୁ ପରେ ପରେ ମାଆଙ୍କୁ କାମୁଡ଼ିଥିଲା। ସେମାନଙ୍କୁ ପରିବାର ଲୋକେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ରାତି ୧ଟା ୪୦ ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ବ୍ରହ୍ମପୁର ନିଆଯିବା ବାଟରେ ପୁଅ ଆଶିଷର ମୃତ୍ୟୁ ହୋଇ ଯାଇଥିବାବେଳେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମନାସଙ୍କ ମୃତ୍ୟୁ ହୋଇଥିଲା। ବ୍ରହ୍ମପୁର ପୁଲିସ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ  ଅପମୃତ୍ୟୁ ମାମଲା ରୁଜୁ କରିଛି l ମୃତ ମନାସଙ୍କ ସ୍ବାମୀ ଜଣେ ଗାଡ଼ି ଚାଳକ ହୋଇଥିବା ତାଙ୍କର ଆଉ ଏକ ପୁଅ ରହିଛି।

ସେହିପରି କବିସୂର୍ଯ୍ୟନଗର ଏ.ବରିଡା ଗାଁର କୃଷ୍ଣଚନ୍ଦ୍ର ସାହୁ(୩୧) ନାମକ ଜଣେ ଯୁବକ ଖାଇପିଇ ନିଜ ଘରେ ତଳେ ବିଛଣା ପାରି ଶୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ଏକ ବିଷଧର କୃଷ୍ଣଙ୍କୁ କାମୁଡ଼ି ଦେଇ ସେଜ ତଳେ ରହିଥିଲା। କୃଷ୍ଣ କଡ଼ ଲେଉଟାଇବାରୁ ସେଜ ତଳେ ଚାପି ହୋଇ ସାପଟି ମରି ଯାଇଥିଲା। ତେବେ ସାପ କାମୁଡ଼ିଥିବା ଜାଣି କୃଷ୍ଣ ରାତି ଅଧରେ ଅଧା କିଲୋମିଟର ବାଟ ନିଜେ ଚାଲି ଚାଲି ଯାଇ ଅଟୋ ଯୋଗାଡ଼ କରି ନିକଟସ୍ଥ ମେଡିକାଲକୁ ଯାଇଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଘରେ ଲୋକେ ଭୋର ୪ଟା ବେଳେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ ନେଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସକାଳ ୬ଟା ବେଳେ କୃଷ୍ଣଙ୍କ ମୃତ୍ୟୁ ଘଟିଥିଲା। ବ୍ରହ୍ମପୁର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରି ଅପମୃତ୍ୟୁ ମାମଲା ରୁଜୁ କରିଛି।

ସେହିପରି ଅନୁଗୁଳ ଥାନା ବେନ୍ତପୁର ଗାଁରେ ସାପ କାମୁଡ଼ାରେ ଆଜି ଦୁଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ସୁମନ୍ତ ସାହୁଙ୍କ ଦୁଇ ଝିଅ ରୋଜାଲିନ(୧୨) ଓ ସୁଜାତା (୧୩) ଗତ ରାତିରେ ଖାଇପିଇ ଘରେ ଖଟ ଉପରେ ଏକାଠି ଶୋଇଥିଲେ। ରାତି ପ୍ରାୟ ୧ଟା ବେଳେ ଜଣକ ପରେ ଜଣେ ଉଭୟଙ୍କୁ ଏକ ଚିତି ସାପ କାମୁଡିଥିଲା। ରୋଜାଲିନ୍‌ଙ୍କ ବେକରେ ଓ ସୁଜାତାଙ୍କ ପାଦରେ ସାପ କାମୁଡ଼ିବା ପରେ ଉଭୟେ ନିଦରୁ ଉଠି ବାପା ଓ ମା’ଙ୍କୁ ଜଣାଇଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇ ଭଉଣୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ କଟକ ‌େନବା ବେଳେ ରାସ୍ତାରେ ହିଁ ଉଭୟଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଅନୁଗୁଳ ଥାନାରେ ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିବା ସହିତ ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାର ଲେ‌ାକଙ୍କୁ ହସ୍ତାନ୍ତର କରିଛି। ଦୁଇ ଭଉଣୀଙ୍କ ଅକାଳ ମୃତ୍ୟୁ ଘଟଣାରେ ବେନ୍ତପୁର ଗାଁରେ ଶୋକର ଛାୟା ଖେଳିଯାଇଛି।