ରାଜ୍ୟରେ ଲଗାଣ ବର୍ଷାର ପ୍ରଭାବ: କାନ୍ଥ ପଡ଼ି ୩ ନାବାଳିକା ଓ ଜଣେ ନାବାଳକଙ୍କ ସମେତ ୫ ଜଣଙ୍କର ପ୍ରାଣହାନି

ଭୁବନେଶ୍ବର/ କେନ୍ଦୁଝର/କୋରାପୁଟ/ ବାଲିଆପାଳ: ରାଜ୍ୟରେ କାନ୍ଥ ପଡ଼ି ୫ ଜଣଙ୍କର ପ୍ରାଣହାନି ହେଲାଣି। କେନ୍ଦୁଝର ଓ କୋରାପୁଟ ଜିଲ୍ଲାରେ କାନ୍ଥ ପଡ଼ି ୨ଜଣଙ୍କ ପ୍ରାଣହାନି ଘଟିଥିବାର ଖବର ମିଳିଛି। ଲଗାଣ ବର୍ଷା ଯୋଗୁ କାନ୍ଥ ପଡ଼ିବାରୁ କେନ୍ଦୁଝର ସଦର ବ୍ଲକ ମହାଦେଈଯୋଡା ପଞ୍ଚାୟତ ଟିକରପଡା ଗ୍ରାମର କୁହ୍ଲଚରଣ ବେହେରା ଗୁରୁତର ଥିବା ବେଳେ ତାଙ୍କ ପତ୍ନୀ ଦୂତିକା ବେହେରା ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଏଣେ କୋରାପୁଟର ନୂଆସାହିରେ କାନ୍ଥ ପଡ଼ିବାରୁ ଜଣେ ୯ ବର୍ଷିୟ ନାବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ସୁମନ ରାଜଭତ୍ରାଙ୍କ ପୁଅ ପ୍ରିୟାଂଶୁ।

ତେଣେ ମୟୂରଭଞ୍ଜ ଜିଲ୍ଲାର ବିଶୋଈ ବ୍ଲକ୍ ଲୁହାକନି ପଞ୍ଚାୟତ ଭୋଳଦେଉଗାଁରେ ଅଘଟଣ ଘଟିଛି। ଏଠାରେ ଲଗାଣ ବର୍ଷା ଯୋଗୁ କାନ୍ଥ ପଡ଼ି ୨ ନାବାଳିକାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ତେବେ ମୃତ ନାବାଳିକାଙ୍କ ବାପା,ମା ଅଳ୍ପକେ ବର୍ତ୍ତିଯାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତର ଭୋଳବେଡା ଗ୍ରାମରେ ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ୨ ଶିଶୁକନ୍ୟାଙ୍କର ମୃତ୍ୟୁ ଘଟିଥିବା ବେଳେ ଉକ୍ତ ଶିଶୁକନ୍ୟାଙ୍କର ବାପା ଓ ମା’ ଆହତ ହୋଇଛନ୍ତି। ମୃତ ୨ ଶିଶୁକନ୍ୟା ହେଲେ ଅନୀଲ ଗିରି ଓ ରିତା ଗିରିଙ୍କ ୨  ଝିଅ ସ୍ୱିଟି (୧୧) ଓ ନିହାରିକା (୪)।

ସୂଚନାଥାଉକି, ଗତକାଲି ରାତ୍ରି ପ୍ରାୟ ଅଢେ଼ଇ ଘଟିକା ସମୟରେ ଅନୀଲ, ତାଙ୍କ ସ୍ତ୍ରୀ ରିତା ଓ ୨ ଝିଅ ସ୍ୱିଟି ଓ ନିହାରିକାକୁ ନେଇ ନିଜ ମାଟି କାନ୍ଥ ଆଜବେଷ୍ଟସ ନିର୍ମିତ ଘରେ ଶୋଇଥିଲେ।ଗତକାଲି ଲଗାଣ ବର୍ଷା ଯୋଗୁ ଅନୀଲଙ୍କ ପରିବାର ଶୋଇଥିବା ଘରର କାନ୍ଥ ହଠାତ ଭୁଶୁଡ଼ି ପଡିଥିଲା। ଫଳରେ ଘଟଣାସ୍ଥଳରେ ସ୍ୱିଟି ଓ ନିହାରିକାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୀଲ ଓ ତାଙ୍କ ସ୍ତ୍ରୀ ରିତା ଆହତ ହୋଇଥିଲେ। ପରେ ୨ ଝିଅଙ୍କ ମାଆ ରିତା ପଡୋଶୀ ନିକଟକୁ ଯାଇ ଏହି ବିଷୟରେ ଜଣାଇବା ପରେ ସ୍ଥାନୀୟ ପଡୋଶୀଙ୍କ ସହାୟତାରେ ୨ ଝିଅଙ୍କୁ ଉଦ୍ଧାର କରାଯାଇ ଆମ୍ବିଲାନ୍ସ ସହାୟତାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର, ମେଡିକାଲ ପହଞ୍ଚିବା ପରେ ଡାକ୍ତର ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

ଏଣେ  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବାଲେଶ୍ବର ଜିଲ୍ଲାର ବାଳିଆପାଳ ବ୍ଲକ ମଧୁପୁରା ଗ୍ରାମରେ ପାଚେରି ପଡ଼ି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଶିଶୁ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ପ୍ରବଳ ବର୍ଷା ଓ ପବନ ଫଳରେ ମଧୁପୁରା ଗ୍ରାମରେ ସେକ୍ ଆନସାରଙ୍କ ଘରେ ପରିବାର ଲୋକ ଶୋଇଥିବା ଅବସ୍ଥାରେ ପାଚେରି ପଡି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଏହାଛଡ଼ା ଦୁଇଜଣ ଶିଶୁ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସୂଚନାରୁ ପ୍ରକାଶ, ପ୍ରବଳ ବର୍ଷା ଓ ପବନ ଫଳରେ ବିଳମ୍ବିତ ରାତିରେ ଘର ପାଖରେ ଥିବା ସ୍କୁଲ ଭିତରେ ଥିବା ଏକ ଗଛ ଭାଙ୍ଗି ସ୍କୁଲ ପାଚେରି ଉପରେ ପଡ଼ିଥିଲା।  ପାଚେରି ପାର୍ଶ୍ୱରେ ଥିବା ଘର ଭିତରେ ଶୋଇଥିବା ସେକ ଆନସାର, ତାଙ୍କ ପତ୍ନୀ ଓ ତିନି ଛୁଆ ପାଚେରି ତଳେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରିଥିଲେ ହେଁ ଚାରିବର୍ଷର ଝିଅ ସମିନା ଖାତୁନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାସ୍ତାରେ ସମିନାଙ୍କ ମୃତ୍ୟୁ ହୋଇଯାଇଛି। ସେହିପରି ଅନ୍ୟ ଦୁଇ ଶିଶୁ ଅମିନା ଖାତୁନ ଏବଂ ସେକ ଆରେନ ମଧ୍ୟ ଆହତ ହୋଇଥିବାରୁ ସେମାନଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।

 

ସମ୍ବନ୍ଧିତ ଖବର