ମାଓମୁକ୍ତ ହେଲା ରାଜ୍ୟର ୫ଟି ଜିଲ୍ଲା

ଭୁବନେଶ୍ବର : ଆଜି ୫ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ସମ୍ବଲପୁର, ଦେବଗଡ଼, ନୟାଗଡ଼, ବୌଦ୍ଧ। ଦୀର୍ଘ ଦିନ ହେବ ଜିଲ୍ଲାଗୁଡ଼ିକରେ ମାଓ କାର୍ଯ୍ୟକଳାପ ନଥିବା ଏବଂ ଗୁଇନ୍ଦା ତଥ୍ୟକୁ ଆଧାର କରି ଓଡ଼ିଶା ପୁଲିସ କେନ୍ଦ୍ର ସରକାରଙ୍କୁ ଏ ନେଇ ସୁପାରିସ୍‌ କରିଥିଲା। ଏହି ସୁପାରିସ୍‌କୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ଏଥିସହିତ ଓଡ଼ିଶାରେ ଆଉ ୧୦ଟି ଜିଲ୍ଲା ମାଓପ୍ରବଣ ଥିବା କୁହାଯାଇଛି। ଏସବୁକୁ ମାଓ ପ୍ରଭାବମୁକ୍ତ ଘୋଷଣା କରିବା ପାଇଁ ଯୋଜନା ଚାଲିଛି। ଖୁବ୍‌ଶୀଘ୍ର ଏହି ଜିଲ୍ଲା ସହ ପୂରା ରାଜ୍ୟକୁ ମାଓମୁକ୍ତ କରାଯିବ ବୋଲି କହିଛନ୍ତି ପୁଲିସ୍‌ ଡିଜି ଅଭୟ। ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା ପ୍ରକାଶ କରିବା ସହ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରି ସରକାରୀ ସୁବିଧା ସୁଯୋଗ ନେବାକୁ ଆହ୍ବାନ ଦେଇଛନ୍ତି।

୨୦୧୫ ମସିହା ପରଠାରୁ ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ମାଓ କାର୍ଯ୍ୟକଳାପ ନଥିବା ବେଳେ ୨୦୧୭ରୁ ନୟାଗଡ଼ ଓ ଅନ୍ୟ ଦୁଇ ଜିଲ୍ଲାରେ ଏଭଳି କାର୍ଯ୍ୟକଳାପ ନଥିଲା। ଅନେକ ସମୟରେ ମାଓବାଦୀଙ୍କ ଉପସ୍ଥିତି ଥିଲେ ମଧ୍ୟ କୌଣସି ବଡ଼ ଅଘଟଣ ଘଟାଇ ନାହାନ୍ତି। ପୂର୍ବରୁ ୨୦୧୮ ଏପ୍ରିଲରେ ୬ ଜିଲ୍ଲା ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ମାଓମୁକ୍ତ ଅଂଚଳ ଘୋଷିତ ହୋଇସାରିଛି।

ଅନ୍ୟପକ୍ଷରେ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଆହ୍ବାନ ଦିଆଯାଇଛି। ୨୦୧୯ ମସିହାରେ ୧୩ ଜଣ ଆତ୍ମସମର୍ପଣ କରିଥିବା ବେଳେ ୨୦୨୦ରେ ଅଦ୍ୟାବଧି ୧୭ଜଣ କରିସାରିଲେଣି।

ପୁଲିସ ଡିଜି କହିଥିଲେ ଯେ ଅନେକ ସମୟରେ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ସେମାନଙ୍କ ପୁରୁଣା ବନ୍ଧୁମାନଙ୍କ ପାଖରୁ ଧମକ ରହିଥାଏ। ପୁଲିସକୁ ସେମାନେ ଖୋଲା‌ଖୋଲି ଚ୍ୟାଲେଞ୍ଜ ମଧ୍ୟ ଦେଇଥାନ୍ତି। ନିକଟ ଅତୀତରେ କମିଟି ସଦସ୍ୟ ବେଣୁକୁ ନେଇ ଚର୍ଚ୍ଚା ହୋଇଥିଲା। ଭୟ ଥିବାରୁ ଇଚ୍ଛା ଥିଲେ ମଧ୍ୟ ଅନେକ ଆତ୍ମସମର୍ପଣ କରିପାରି ନଥାନ୍ତି। କିନ୍ତୁ ଏହି ଦିଗକୁ ପୁଲିସ ଗମ୍ଭୀରତାର ସହ ନେଇଥାଏ। ଆତ୍ମସମର୍ପଣ କରୁଥିବା ସଦସ୍ୟମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। କେହି ଭୟ କରିବା ଉଚିତ୍ ନୁହେଁ ବୋଲି ପୁଲିସ ଡିଜି ପରାମର୍ଶ ଦେଇଛନ୍ତି।

ଡିଜି ଆହୁରି କହିଥିଲେ ଯେ କନ୍ଧମାଳରେ କମ୍ବିଂ ବେଳେ ୪ ଜଣ ମାଓବାଦୀ ପ୍ରାଣ ହରାଇବା ପୁଲିସ ଫୋର୍ସର ମନୋବଳ ବଢ଼ାଇଛି। ଉଖୁବ୍‌ଶୀଘ୍ର ଆହୁରି ସଫଳତା ମିଳିବ ବୋଲି ପୁଲିସ ଆଶାବାଦୀ ରହିଛି। ପୂର୍ବରୁ ୨୧ ଜିଲ୍ଲା ମାଓପ୍ରବଣ ଥିବା ‌ବେଳେ ଏବେ ମାତ୍ର ୧୦ଟି ରହିଛି। ଏହି ୧୦ଟିରେ ୩୫ଜଣ ସଦସ୍ୟ ଥିଲେ। ଏବେ ୨୭ ଅଛନ୍ତି। ଏମାନଙ୍କ ଉପରେ କଡ଼ା ନଜର ରହିଛି। ଏହି ସଫଳତା କେବଳ ପୁଲିସ ପାଇଁ ନୁହେଁ, ବରଂ ରାଜ୍ୟ ପାଇଁ ଶୁଭ ଖବର ବୋଲି ଡିଜି ଅଭୟ କହିଛନ୍ତି।

ସମ୍ବନ୍ଧିତ ଖବର