ଭୁବନେଶ୍ୱର : ରୋଗୀ ସେବାରେ ଅବହେଳା ଓ ବିନା ଅନୁମତିରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୋଧରେ ଆଜି କାର୍ଯ୍ୟାନୁଷ୍ଠାନ ହୋଇଛି। ତାଳଚେରର ଜଣେ ଓ ଜଗତସିଂହପୁରର ୪ଜଣଙ୍କୁ ମିଶାଇ ରାଜ୍ୟ ସରକାର ଆଜି ୫ ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି। ନିରାୟମ ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମଧ୍ୟ ଏହି ଡାକ୍ତରମାନେ ଅବହେଳା କରି ଆସୁଥିଲେ।
ନିଲମ୍ବିତ ଡାକ୍ତରମାନେ ହେଲେ ତାଳଚେର ଏସ୍ଡିଏମ୍ଓ ଡା.ମୀନା କୁମାରୀ ଦ୍ୱାରୀ, ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା.ମମତା ଶତପଥୀ, ଡା.ହିମାଂଶୁ ଶେଖର ନନ୍ଦ, ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏମ୍ଓ(ଭାରପ୍ରାପ୍ତ) ସୁରେଶ କୁମାର ଲେଙ୍କା ଓ କନକପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡା.ସଞ୍ଜୀବ କୁମାର ମହାପାତ୍ର। ଏହାଦ୍ୱାରା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନର ପ୍ରଭାବ ଦେଖିବାକୁ ମିଳିଛି।
ସୂଚନା ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ନିକଟରେ ତାଳଚେର ଉପଖଣ୍ଡ ଡାକ୍ତରଖାନା ଓ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କନକପୁର ପିଏଚ୍ସି ଓ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ଗସ୍ତ ସମୟରେ ସେଠାରେ ‘ନିରାମୟ’ ଯୋଜନାରେ ଠିକଣାଭାବେ କାର୍ଯ୍ୟକାରୀ ହେଉ ନ ଥିବା, ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ ପଡ଼ୁଥିବା, ବିନା ଅନୁମତିରେ ଡାକ୍ତର ଅନୁପସ୍ଥିତ ରହିବା, ପରିମଳ ଅବ୍ୟବସ୍ଥା, ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନରେ ଅବ୍ୟବସ୍ଥାକୁ ନେଇ ଶ୍ରୀ ଜେନା ବିରକ୍ତି ପ୍ରକାଶ କରିଥିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ଏସବୁ ବିଷୟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଥିଲେ। ପରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏସବୁ ଡାକ୍ତରଖାନାକୁ ପରିଦର୍ଶନ କରିବା ସହିତ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଆଜି ୫ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି।