୬୦ ଟନ ଲୁହାପଥର ସହ ୫ ଡମ୍ପର ଜବତ

ବନ୍ଦ ଖଣି ଚୋରି ରାକେଟ ସକ୍ରିୟ

ଯୋଡା : ବଡବିଲ ରେଞ୍ଜ ଅଞ୍ଚଳରେ ବନ୍ଧ ଖଣି ଚୋରି ରାକେଟ ସକ୍ରିୟ ହୋଇପଡ଼ିଛନ୍ତି।‌ କେତେକ ବନ୍ଦ ଖଣିରୁ ଲୁହାପଥର ଉତ୍ତୋଳନ କରି ଏହି ରାକେଟ ଜଙ୍ଗଲରେ ଗଚ୍ଛିତ ରଖିବା ପରେ ତାହାକୁ ସୁଯୋଗ ଦେଖି ବାହାର ରାଜ୍ୟକୁ ଚାଲାଣ କରୁଛି। ଗତକାଲି ବିଳମ୍ବିତ ରାତିରେ ଚୋରା ଚାଲାଣ ବେଳେ ପ୍ରାୟ ୬୦ ଟନ୍ ଲୁହା ପଥର ଜବତ କରିଛି ବନ ବିଭାଗ। ଏହି ସବୁ ଲୁହାପଥର ୫ଟି ଡମ୍ପରରେ ଯାଉଥିବା ବେଳେ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ରାତି ପ୍ରାୟ ସାଢ଼େ ୧ଟା ବେଳେ ଚଢ଼ଉ କରି ଅଶେଇଁକଳାଠାରେ ୫ ଟି ଚୋରା ଲୁହାପଥର ଡମ୍ପର(ଓଆ୦୯କେ ୮୭୧୧, ଓଆର୦୯କେ ୭୮୧୧, ଓଆ୦୯ଜେ ୯୩୨୧, ଓଡି୧୪ସି ୧୧୮୧ ଓ ଓଡି୧୪ସି ୧୧୭୮) ଜବତ କରିଥିଲା।

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଣାପଡ଼ିିଛି ଯେ, ଗତକାଲି ମଧ୍ୟରାତ୍ରରେ ଏହି ରାସ୍ତାରେ ଝାଡଖଣ୍ତ ରାଜ୍ୟକୁ ଚୋରା ଲୁହାପଥର ବୋଝେଇ ଡମ୍ପର ଯାଉଥିବା ବନ ବିଭାଗ ଖବର ପାଇବା ପରେ ପୁଲିସର ସହାୟତାରେ ଉକ୍ତ ସ୍ଥାନରେ ଚଢଉ କରିଥିଲା। କେନ୍ଦୁଝର ଏସିଏଫ ଅଜୟ କୁମାର ସାହୁ, ବଡବିଲ ରେଞ୍ଜର ସୁଜିତ କୁମାର ସାହୁ, ଚମ୍ପୁଆ ରେଞ୍ଜର ସଞ୍ଜୀବ କୁମାର ରାଉତ, ବିଲେଇପଦା ଫରେଷ୍ଟର ପ୍ରଦୀପ କୁମାର ବେହରୋ, ଯୋଡ଼ା ଫରେଷ୍ଟର ଅନିରୁଦ୍ଧ ପଣ୍ତା, ବଡବିଲ ଫରେଷ୍ଟର ଦଶରଥ ଗିରି, ଗୁଆଲି ଫରେଷ୍ଟର ଅକ୍ଷୟ ମହାନ୍ତି, ଯୋଡା, ଚମ୍ପୁଆ ଓ ବଡବିଲ, ଗୁଆଲି ପାରା ସ୍କାଡ଼୍ ଏବଂ ଯୋଡ଼ା ପୁଲିସ ଏହି ଚଢ଼ଉରେ ସାମିଲ ହୋଇଥିଲେ।

ବନ ବିଭାଗ ପକ୍ଷରୁ ଯାଞ୍ଚ କରିବା ପରେ ଚୋରା ଲୁହାପଥର ଡମ୍ପର ବୋଲି ଜଣାପଡିଥିଲା। ଚଢ଼ଉ ସମୟରେ ଘଟଣାସ୍ଥଳରୁ ଡମ୍ପରର ଡ୍ରାଇଭର ଓ ହେଲପର ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ଡମ୍ପରରେ ଚୋରାଚାଲାଣ ହେଉଥିବା ଚୋରା ଲୁହାପଥର ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ। ଡିଏଫଓ ସ୍ବୟମ ମଲ୍ଲିକଙ୍କ ନିଦେର୍ଶକ୍ରମରେ ବନ ବିଭାଗ ଏହି ଘଟଣାର ଖୋଳତାଳ ଆରମ୍ଭ କରିଛି। ଏହି ଚୋରା ଲୁହା ପଥର କେଉଁ ଖଣିରୁ ଯାଉଥିଲା ତାହା ଜଣାପଡିନାହି। ବନ ବିଭାଗ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର