ମାଛକାନ୍ଦଣା ପୋଲ ଉପରେ ୫ ଫୁଟର ପାଣି

ପଦ୍ମପୁର:  ଲଘୁଚାପ ଜନିତ ବର୍ଷା ଯୋଗୁଁ ୨୦ ନମ୍ବର ଜାତୀୟ ରାଜପଥ ମୁଖ୍ୟରାସ୍ତା ନୂଆଗାଁ ପଞ୍ଚାୟତ ରତନପୁର ମାଛକାନ୍ଦଣା ପୋଲ ଉପରେ ପ୍ରାୟ ୫ ଫୁଟ୍ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ୮ଟି ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଯାଇଛି। ରେଳ ସାଇଡିଂକୁ ମାଲ ପରିବହନ ଠକ୍ ହୋଇଯାଇଥିବା ବେଳେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି।

ବର୍ଷା ଓ ବନ୍ୟା ଯୋଗୁଁ  ରତନପୁର, ବୀରକିଶୋରପୁର, ବିସ୍ତାପାଳ, ନୂଆଗାଁ, ତାରତ ଖମଣ, ହାତୀକୁଚା, ପୋଇପାଣି, ଡିମିରିଡିହା ୮ଟି ଗାଁ ଯୋଗ‌ାଯୋଗରୁ ବିଚ୍ଛିନ୍ନ ହୋଇଯାଇଛି। ଏସବୁ ଗାଁର ଶହଶହ ଲୋକ ପଦ୍ମପୁର ମୁଖ୍ୟବଜାରକୁ ଯାଇପାରି ନାହାନ୍ତି। ସ୍କୁଲ କଲେଜ ସମେତ ଗୋହାଲଡିହି ରେଳସାଇଡିଂକୁ ହଳଦିଆଗୁଣା ଏମ୍ ଏସ୍ ପି କାରଖାନାରୁ ପରିବହନ ଠପ୍ ହୋଇଯାଇଛି। ମାଲବାହୀ ଟ୍ରକ୍ ଯାତାୟାତ କରିପାରି ନାହିଁ। ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପାଇଁ ୧୦୮ ଆମ୍ବୁଲାନ୍ସ ଗାଁକୁ ପଶି ପାରିନାହିଁ। ରତନପୁର ମାଛକାନ୍ଦଣାରେ ପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ତୁରନ୍ତ ପ୍ରଶାସନ ମାଛକାନ୍ଦଣାରେ ଏକ ଉଚ୍ଚ ଏବଂ ଉନ୍ନତମାନର ପୋଲ ନିର୍ମାଣ ପାଇଁ ସୁମନ୍ତ ମହାନ୍ତ, ବିଦ୍ୟାଧର ମହାନ୍ତ, କାର୍ତ୍ତିକେଶ୍ବର ମହାନ୍ତ, ତପନ ମୁଣ୍ତା, ଜିତେନ୍ଦ୍ର ମାଝୀ, ଗୌତମ ବାଙ୍କିରା, ସୁଶାନ୍ତ ମହାନ୍ତ, ଆଲୋକ କୁମାର ମହାନ୍ତ, ରାଜ ଗାଗରାଇ, ପ୍ରଶାନ୍ତ ମହାନ୍ତ, ଦୀପକ ମହାନ୍ତ, ଓମ୍ ପ୍ରକାଶ ମହାନ୍ତ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର