ରେମଣ୍ଡା-ଥୁଆପାଲି ରାସ୍ତାରେ ୫ ଫୁଟ୍ ପାଣି

ରେମଣ୍ଡା: ଶନିବାର ମଧ୍ୟରାତ୍ରିରୁ ଲଗାଣ ବର୍ଷା ଯୋଗୁଁ ଭେଡ଼େନ ବ୍ଲକ୍‌ ରେମଣ୍ଡା-ଥୁଆପାଲି ଆର୍‌ଡି ରାସ୍ତାର ମଝିରେ ଥିବା ନଳିଆ ବ୍ରିଜ୍ ଉପରେ ୫ଫୁଟ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଲୋକ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ, ରେମଣ୍ଡାସ୍ଥିତ ସରକାରୀ ଡାକ୍ତରଖାନା, ପୋଷ୍ଟ ଅଫିସ୍‌କୁ ଯିବା ଆସିବା କରିଥାନ୍ତି। ବିଶେଷ କରି ହାଇସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ପାଣି କମିଯିବାରୁ ଅପରାହ୍ନରେ ଯାତାୟାତ ସ୍ବଭାବିକ ହୋଇଥିଲା।

ସୂଚନାଯୋଗ୍ୟ, ଏହି ନଳିଆର ବ୍ରିଜ୍‌ଟି ଢାଳୁ ଥିବାରୁ ଉପର ମୁଣ୍ଡରେ ଟିକିଏ ବର୍ଷା ହେଲେ ଏହି ନଳିଆ ଉପରେ ପାଣି ପ୍ରବାହିତ ହୋଇଯାଏ। ହେଲେ ପରିତାପର ବିଷୟ ଯେ, ଏହି ନଳିଆର ଢାଳୁ ବ୍ରିଜ୍‌କୁ ଉଚ୍ଚ ବ୍ରିଜ୍‌ଟିଏ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ଜନସାଧାରଣରେ ଅସନ୍ତୋଷ ସୃଷ୍ଟି ହେଉଛି। ଅତିଶୀଘ୍ର ଏଠାରେ ଏକ ଉଚ୍ଚ ବ୍ରିଜ୍ ନିର୍ମାଣ ପାଇଁ ଜନସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର