ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୁ ବିଜେପୁରକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତାର ତ୍ରିଲୋଚନପୁର ପଞ୍ଚାୟତ ସାପଛାଞ୍ଚରା ଗାଁ ଓ ସଲପକଣା ମଝିରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ୫ ଫୁଟ୍‌ ପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ଠପ୍ ‌ହୋଇଯାଇଥିଲା। ଦୀର୍ଘ ସମୟ ଧରି ରାସ୍ତାର ଦୁଇ ପାଖରେ ଯାନବାହାନ ଅଟକି ରହିଥିଲା। ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Advertisment

ଏଭଳି ସମସ୍ୟା ଲାଗି ରହିଥିବାରୁ ଏହି ସ୍ଥାନରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ବ୍ଲକ ତଥା ଜିଲ୍ଲା ସ୍ତରରେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ହେଲେ କେହି ଶୁଣୁନଥିବା ବେଳେ ବୁଧବାର ବର୍ଷା ପାଣି ଯୋଗୁଁ ଲୋକେ ବହୁ ଅସୁବିଧା ଭୋଗିଛନ୍ତି। ଆଗକୁ ବର୍ଷା ଦିନ ଆସୁଥିବାରୁ ଏଭଳି ସମସ୍ୟା ପ୍ରତିଦିନ ଦେଖାଦେବାକୁ ଯାଉଥିବାରୁ ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।