ଗଭୀର ସମୁଦ୍ରରେ ଓଲଟି ପଡ଼ିଲା ଡଙ୍ଗା: ମୃତ୍ୟୁ ମୁହଁରୁ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

୩୦ ମତ୍ସଜୀବୀ ପହଁରି ଯାଇ ଉଦ୍ଧାର କଲେ

ବ୍ରହ୍ମପୁର/ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ତହସିଲ ଅର୍ନ୍ତଗତ ରାମେୟାପଟଣାରେ ଘଟିଛି ଅଭାବନୀୟ ଘଟଣା। କିଛି ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବା ଲାଗି ଯାଇଥିବାବେଳେ ହଠାତ୍‌ ବଡ଼ ଲହଡ଼ି ମାଡ଼ରେ ଡଙ୍ଗା ବୁଡ଼ିଯାଇଛି। କୂଳରେ ଥିବା ୩୦ରୁ ଅଧିକ ମତ୍ସଜୀବୀ ସମୁଦ୍ରରେ ପହଁରି ପହଁରି ଯାଇ ଉକ୍ତ ଡଙ୍ଗାରେ ଥିବା ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ମତ୍ସଜୀବୀମାନେ ହେଲେ, ଡି.ଡଙ୍ଗମୟା, ଡି.ମାଧେୟା, ବି.ପୁରୁଷୋତ୍ତମ, ଡି.ଚନ୍ଦ୍ରେୟା ଓ ବି. ଗୁରୋଇ। ତେବେ, ମତ୍ସଜୀବୀଙ୍କ ଡଙ୍ଗାଟି ଲହଡ଼ି ମାଡ଼ରେ ଭାଙ୍ଗି ନଷ୍ଟ ହୋଇଯାଇଛି। ଡଙ୍ଗାର ମେସିନ୍‌ ଓ ଜାଲ ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମୁଦ୍ରରେ ଭାସି ଯାଇଛି।

ଗତ ଏକ ମାସ ଧରି ରାମେୟାପାଟଣା ଠାରେ ସମୁଦ୍ର ଅଶାନ୍ତ ରହିଥିଲା। ସମୁଦ୍ର ଉଗ୍ର ହେବା ସହିତ ରାମେୟାପାଟଣା ଗାଁର ୩୦ରୁ ଅଧିକ ଘର ଭସାଇ ନେଇଥିଲା। ସମୁଦ୍ର ଅଶାନ୍ତ ରହୁଥିବାରୁ ରାମେୟାପାଟଣା ଗାଁର ମତ୍ସଜୀବୀମାନେ ମାଛ ମାରିବା ଲାଗି ସମୁଦ୍ରକୁ ଯାଉ ନ ଥିଲେ। ଗତ ଦୁଇ ଦିନ ହେଲା ସମୁଦ୍ର ଶାନ୍ତ ହେବା ସହ ଅବକ୍ଷୟ ଅଞ୍ଚଳରେ ବାଲି ଆସି ଜମା ହେବାରେ ଲାଗିଛି। ସମୁଦ୍ରର ଚରିତ୍ରରେ ସୁଧାର ଆସିଥିବାରୁ ରାମେୟାପାଟଣା ଗାଁ ମତ୍ସଜୀବୀ ଆଜି ସକାଳେ ୫ଟି ଡଙ୍ଗାରେ ମାଛ ମାରିବା ଲାଗି ସମୁଦ୍ର ଭିତରକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୧ଟା ବେଳେ ମତ୍ସଜୀବୀମାନେ ମାଛ ମାରି ସାରି କୂଳକୁ ଫେରୁଥିଲେ। ୪ଟି ଡଙ୍ଗା ବହୁ ପଛରେ ରହିଥିବାବେଳେ ଗୋଟିଏ ଡଙ୍ଗା ଆଗରେ ଆସୁଥିଲା। କୂଳରେ ପହଁଞ୍ଚିବାକୁ କିଛି ଦୂର ବାକି ଥିଲା। ଠିକ୍‌ ସେତିକିବେଳେ ଏକ ବଡ଼ ଲହଡ଼ି ଡଙ୍ଗାରେ ବାଡ଼େଇ ହୋଇଥିଲା। ଫଳରେ ଡଙ୍ଗାଟି ଗଭୀର ସମୁଦ୍ରରେ ଓଲଟି ପଡ଼ିଥିଲା। ଏଥିରେ ଥିବା ଉପରୋକ୍ତ ୫ଜଣ ମତ୍ସଜୀବୀ ଓଲଟିଥିବା ଡଙ୍ଗାକୁ ଧରି ରହି କୂଳରେ ଥିବା ମତ୍ସଜୀବୀଙ୍କୁ ହାତ ଠାରି ଡାକ ପକାଇଥିଲେ। ଏ ସମୟରେ କୂଳରେ ଥିବା ପ୍ରାୟ ୩୦ରୁ ଉର୍ଧ୍ବ ମତ୍ସଜୀବୀ ପହଁରି ପହଁରି ସମୁଦ୍ର ଭିତରକୁ ଯାଇଥିଲେ। କୂଳରେ ଥିବା ଏକ ଡଙ୍ଗାରେ ୬ ଜଣ ମତ୍ସଜୀବୀ ମଧ୍ୟ ଉଦ୍ଧାର ଲାଗି ଯାଇଥିଲେ। ସମସ୍ତେ ମିଶି ୫ ମତ୍ସଜୀବୀଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଲହଡ଼ି ମାଡ଼ରେ ଡଙ୍ଗା ଭାଙ୍ଗିଯିବା ସହ ଡଙ୍ଗାର ଇଞ୍ଜିନ ଓ ସେଥିରେ ଥିବା ଜାଲ ସମୁଦ୍ରରେ ଭାସି ଯାଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ରାମେୟା‌ପାଟଣା ଏକ ମତ୍ସଜୀବୀ ଗ୍ରାମ। ଲୋକେ ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରିଥା’ନ୍ତି। କିନ୍ତୁ ଗତ କିଛିଦିନ ସମୁଦ୍ର ଅଶାନ୍ତ ରହିଥିବାରୁ ସେମାନେ ମାଛ ମାରି ନ ପାରି ହାତବାନ୍ଧି ବସି ରହିଛନ୍ତି। ସେମାନଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିିଛି।

ସମ୍ବନ୍ଧିତ ଖବର