ଭୁବନେଶ୍ବର: ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଙ୍ଗ୍ ଫ୍ରେମଵାର୍କ(ଏନ୍ଆଇଆରଏଫ୍)-୨୦୨୫ ତାଲିକାରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପୁଣିଥରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ମୋଟ ୧୭ଟି ବର୍ଗକୁ ନେଇ ହୋଇଥିବା ଏନ୍ଆଇଆର୍ଏଫ୍ ରାଙ୍କିଙ୍ଗ୍ରେ ଏଥର ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ସମଗ୍ର ସଫଳତାକୁ ଆଧାର କରି ପ୍ରକାଶିତ ଶ୍ରେଷ୍ଠ ଶହେ ଭିତରକୁ ଆସିପାରି ନାହାନ୍ତି। ବରଂ ଦୁଇଟି ଘରୋଇ ଓ ୩ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନକୁ ମିଶାଇ ରାଜ୍ୟର ମୋଟ ୫ଟି ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ ଶହେ ମଧ୍ୟରେ ରହିଛନ୍ତି।
ସମଗ୍ର ସଫଳତା ବର୍ଗରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ବିଶ୍ବବିଦ୍ୟାଳୟ ଏ ବର୍ଷ ୨୫ତମ ସ୍ଥାନରେ ରହିଛି। କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍) ଡିମ୍ଡ ବିଶ୍ବବିଦ୍ୟାଳୟ ୨୭ତମ, ଏନ୍ଆଇଟି ରାଉରକେଲା ୩୪ତମ, ଆଇଆଇଟି ଭୁବନେଶ୍ବର ୮୦ତମ ଓ ଏମ୍ସ ଭୁବନେଶ୍ବର ୧୦୦ତମ ସ୍ଥାନରେ ରହିଛି। ଭୁବନେଶ୍ବରସ୍ଥିତ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ଦେଶର ୨୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇପାରି ନାହିଁ।
ବିଶ୍ବବିଦ୍ୟାଳୟ ବର୍ଗରେ ଓଡ଼ିଶାରୁ ଦୁଇଟି ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ସୋଆ ୧୫ତମ ଓ କିଟ୍ ୧୭ତମ ସ୍ଥାନରେ ରହିଛି। ପୂର୍ବବର୍ଷ ପରି ଏଥର ମଧ୍ୟ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି, ଓୟୁଏଟି, ସମ୍ବଲପୁର ବିଶ୍ବବିଦ୍ୟାଳୟ ସହ ଉତ୍କଳ ୧୦୧ରୁ ୧୫୦ ସ୍ଥାନ ମଧ୍ୟରେ ରହିଛନ୍ତି। ସମ୍ବଲପୁର ବିଶ୍ବବିଦ୍ୟାଳୟ ସମେତ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ ଓ ଭିଏସ୍ଏସ୍ୟୁଟି ୧୫୧ରୁ ୨୦୦ ରାଙ୍କ ମଧ୍ୟରେ ରହିଛନ୍ତି। ଗବେଷଣା ଅନୁଷ୍ଠାନ ବର୍ଗର ଶ୍ରେଷ୍ଠ ୫୦ ମଧ୍ୟରେ ଏନ୍ଆଇଟି ରାଉରକେଲା ୩୦, କିଟ୍ ୪୩, ସୋଆ ୪୯ତମ ସ୍ଥାନରେ ରହିଛି। ରାଜ୍ୟ ପବ୍ଲିକ ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ହୋଇଥିବା ରାଙ୍କିଙ୍ଗ୍ରେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି। ୨୦୨୪ରେ ୪୨ତମ ସ୍ଥାନରେ ଥିବା ଉତ୍କଳ ଏଥର ୪୮ତମ ସ୍ଥାନକୁ ଖସି ଆସିଛି। ଏହି ବର୍ଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଫକୀରମୋହନ ବିଶ୍ବବିଦ୍ୟାଳୟ, ଓୟୁଏଟି, ରେଭେନ୍ସା, ସମ୍ବଲପୁର ବିଶ୍ବବିଦ୍ୟାଳୟ, ଭିଏସ୍ଏସ୍ୟୁଟି ୫୧ରୁ ୧୦୦ ସ୍ଥାନ ମଧ୍ୟରେ ରହିଛନ୍ତି।
ଦେଶର ଶ୍ରେଷ୍ଠ ୧୦୦ ଇଂଜିନିୟରିଂ କଲେଜ ମଧ୍ୟରେ ଏନ୍ଆଇଟି ରାଉରକେଲା ୧୩, ସୋଆ ୨୨, କିଟ୍ ୩୬, ଆଇଆଇଟି ଭୁବନେଶ୍ବର ୩୯, ସିଭିରମଣ ଗ୍ଲୋବାଲ ୟୁନିଭରସିଟି ୯୫ ତମ ସ୍ଥାନରେ ରହିଛନ୍ତି। ୧୫୧ରୁ ୨୦୦ ମଧ୍ୟରେ ଭିଏସ୍ଏସ୍ୟୁଟି ବୁର୍ଲା, ୨୦୧ରୁ ୩୦୦ ମଧ୍ୟରେ ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟ, ସିଇଟି ଭୁବନେଶ୍ବର, ଗାନ୍ଧୀ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ବରସ୍ଥିତ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜିକାଲ ଆଡଭାନ୍ସମେଣ୍ଟ (ଗୀତା), ଗୁଣୁପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟ, ସିଲିକନ୍ ବିଶ୍ବବିଦ୍ୟାଳୟ ସ୍ଥାନ ପାଇଛନ୍ତି। ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ବର୍ଗରେ ଜାଭିଅର ଭୁବନେଶ୍ବର ୪୫, ସୋଆ ୬୬, କିଟ୍ ୬୮ତମ, ଆଇଆଇଏମ୍ ସମ୍ବଲପୁର ୯୪ତମ ସ୍ଥାନରେ ରହିଛନ୍ତି।
ସେହିପରି ଦେଶର ଶ୍ରେଷ୍ଠ ୫୦ ମେଡିକାଲ କଲେଜ ବର୍ଗରେ ଏମ୍ସ ଭୁବନେଶ୍ବର ୧୪, ସୋଆ ୧୫ ଓ କିଟ୍ ୨୪ତମ ସ୍ଥାନରେ ରହିଛି। ଆଇନ ବର୍ଗରେ ଦେଶର ଶ୍ରେଷ୍ଠ ୪୦ ମଧ୍ୟରେ ସୋଆ ୧୦, କିଟ୍ ୧୪, ନ୍ୟାସନାଲ ଲ’ ୟୁନିଭରସିଟି, କଟକ ୧୫ତମ ସ୍ଥାନରେ ରହିଛି। ଦେଶର ୪୦ଟି ଶ୍ରେଷ୍ଠ ଆର୍କିଟେକଚର ଓ ପ୍ଲାନିଂ ବର୍ଗରେ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଏନଆଇଟି ରାଉରକେଲା ୭ମ ଏବଂ କୃଷି ବିଜ୍ଞାନ ବର୍ଗରେ ଏକମାତ୍ର ଶିକ୍ଷାନୁଷ୍ଠାନ ଭାବେ ଓୟୁଏଟି ୧୯ତମ ସ୍ଥାନରେ ରହିଛି। ସଷ୍ଟେନେବୁଲ୍ ଡେଭଲପ୍ମେଣ୍ଟ ଗୋଲ୍ରେ ଏନ୍ଆଇଟି ୯ମ ସ୍ଥାନରେ ରହିଛି। ମୁକ୍ତ ବିଶ୍ବବିଦ୍ୟାଳୟ ଓ ସ୍କିଲ୍ ବିଶ୍ବବିଦ୍ୟାଳୟ ତାଲିକାର ୩ଟି ସ୍ଥାନରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ନାହିଁ।