ହୀରାକୁଦର ୧୫ ଗେଟ୍ ବନ୍ଦ ହେଲା, ଆଉ ୫ ଖୋଲା

ସମ୍ବଲପୁର : ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା ପରେ ବୁଧବାର ପର୍ଯ୍ୟାୟ କ୍ରମେ ହୀରାକୁଦର ୧୫ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ୨୦ଟି ଗେଟ୍‌ ଖୋଲା ଥିଲାବେଳେ ବୁଧବାର ରାତି ସୁଦ୍ଧା ଆଉ ୫ଟି ଗେଟ୍‌ ଖୋଲା ରହିଛି। ବୁଧବାର ସକାଳ ୭ଟାରୁ ୮ଟା ୩୦ ମଧ୍ୟରେ ୬ଟି, ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ୪ଟି, ସଂଧ୍ୟା ୪ଟାରୁ ୫ଟା ୩୦ ମଧ୍ୟରେ ୫ଟି ଗେଟ୍ ବନ୍ଦ କରା ଯାଇଥିଲା। ବୁଧବାର ରାତି ୯ଟା ବେଳକୁ ବାମ ସ୍ପିଲ୍‌ୱେ’ର ୩ ଓ ଡାହାଣ ପାର୍ଶ୍ବର ୨ଟିକୁ ମିଶାଇ ମୋଟ ୫ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଥିଲା। ସେତିକି ବେଳକୁ ହୀରାକୁଦ ଜଳସ୍ତର ୬୨୫.୬ ଫୁଟ୍ ଥିଲାବେଳେ ଜଳଭଣ୍ଡାର ମଧ୍ୟକୁ ୨,୩୪,୩୬୫ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା। ବିଭିନ୍ନ ମାର୍ଗ ଦେଇ ୧ ଲକ୍ଷ ୯୫୦ କ୍ୟୁସେକ ପାଣି ନିଷ୍କାସିତ ହେଉଥିଲା। ତନ୍ମଧ୍ୟରୁ ୫ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୮୦,୪୭୫ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୮,୫୧୭ କ୍ୟୁସେକ୍‌, ବିଭିନ୍ନ କେନାଲ‌ ଦେଇ ୧,୭୮୮ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ରାତି ୯ଟା ବେଳକୁ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୨୪ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୭୮ ହଜାର କ୍ୟୁସେକ୍‌, ଖଇରମାଳଠାରେ ୩ ଳକ୍ଷ ୮୫ ହଜାର କ୍ୟୁସେକ୍‌, ବରମୂଳଠାରେ ୪ ଲକ୍ଷ ୭୨ ହଜାର କ୍ୟୁସେକ୍‌, ମୁଣ୍ଡଳିଠାରେ ୬ ଲକ୍ଷ ୮ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୫.୦୧ ମିମି ଓ ତଳ ମୁଣ୍ଡରେ ୮.୧୫ ମିମି ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର