ଏଲ୍‌ଆଇସିରୁ ୨୪ଲକ୍ଷ ଟଙ୍କା ଠକେଇ ମାମଲା : ପରିବାରର ୫ଜଣଙ୍କୁ ୩ବର୍ଷ ଜେଲ

ଭୁବନେଶ୍ୱର : ପଟ୍ଟା ଓ ବିଡିଏ ପ୍ଲାନ୍‌ରେ ଜାଲିଆତି କରି ଏଲ୍‌ଆଇସିରୁ ୨୪ଲକ୍ଷ ୪୦ ହଜାର ଟଙ୍କା ଠକେଇ ମାମଲାରେ ଭୁବନେଶ୍ୱର ସିଜେଏମ୍‌ କୋର୍ଟ ଗୋଟିଏ ପରିବାରର ୫ ଜଣଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ଦେବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ୨୪ ଜଣ ସାକ୍ଷ୍ୟ ଓ ୧୭ଟି ପ୍ରମାଣକୁ ଆଧାର କରି ସିଜେଏମ୍‌ ପ୍ରଶାନ୍ତ କୁମାର ମିଶ୍ର ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ପୁରୁଣା ଭୁବନେଶ୍ୱର ପୁନମାଗେଟ୍‌ ଅଞ୍ଚଳର ବନଜା ମିଶ୍ର, ସ୍ୱାମୀ ବଟକୃଷ୍ଣ ମିଶ୍ର, ପୁଅ ବିଭୁଦତ୍ତ ମିଶ୍ର, ପ୍ରଭୁଦତ୍ତ ମିଶ୍ର ଓ ସମ୍ପର୍କୀୟ ସୁକାନ୍ତ ବେହେରା। ଜରିମାନା ଅନାଦେୟ ହେଲେ ୩ ମାସ ଅଧିିକ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ।

ପ୍ରକାଶ ଥାଉ କି, ୨୦୦୨ ମସିହାରେ ବନଜା ଓ ତାଙ୍କ ପରିବାର ଲୋକ ଏଲ୍‌ଆଇସିରୁ ଗୃହଋଣ ପାଇଁ ଆବେଦନ କରିଥିଲେ। ଏଥିପାଇଁ ପ୍ଲଟ ନଂ-୧୬୧୭କୁ ବନ୍ଧକ ରଖିଥିଲେ। ସେହିପରି ଜମି ପଟ୍ଟା, ବିଡିଏ ପ୍ଲାନ୍‌ ଓ ଇନ୍‌କମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍‌କୁ ଜାଲିଆତି କରି ଏଲ୍‌ଆଇସିରୁ ୨୪ଲକ୍ଷ ୪୦ ହଜାର ୮ଶହ ୯୨ ଟଙ୍କା ନେଇଥିଲେ। ହେଲେ ପରବର୍ତୀ ସମୟରେ ଋଣ ବାବଦକୁ କିସ୍ତି ଦେଇ ନ ଥିଲେ। ତେବେ ଯାଞ୍ଜ ବେଳେ ଜଣାପଡ଼ିଥିଲା ଯେ, ବନଜା ଓ ତାଙ୍କ ପରିବାର ଦେଇଥିବା କାଗଜପତ୍ରଗୁଡ଼ିକରେ ଜାଲିଆତି ହୋଇଛି। ଏନେଇ ସିବିଆଇ ପକ୍ଷରୁ ଦଫା ୪୨୦, ୪୭୧ ଓ ୧୨୦(ଖ)ରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର