୫ ହେଭିୱେଟ୍‌ ନେତା ଚିତ୍‌ପଟାଙ୍ଗ୍‌ : ପୂର୍ବ ମନ୍ତ୍ରୀ, ବିଧାୟକ ହାରିଲେ, ଜିତି ପାରିଲେନି ମଙ୍ଗଳା, ଜର୍ଜ, ପ୍ରଫୁଲ୍ଲ, ଯୋଗେଶ, ଗ୍ରୋଗୋରୀ

ରାଉରକେଲା : ଚଳିତ ସାଧାରଣ ନିର୍ବାଚ‌ନରେ ସୁନ୍ଦରଗଡ଼ ଲୋକସଭା ଓ ଏହା ଅନ୍ତର୍ଗତ ସମସ୍ତ ୭ଟି ଯାକ ବିଧାନସଭାରେ ଅନେକ ହେଭିୱେଟ୍‌ ନେତାଙ୍କୁ ଦେଖିବାକୁ ମିଳିଥିଲା। ଏଥର ୨/୩ ଥର କିମ୍ବା ତା’ଠାରୁ ଅଧିକଥର ଜିତିଥିବା ନେତା ନିର୍ବାଚନ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ। ପ୍ରମୁଖ ରାଜନୈତିକ ଦଳରୁ ଲଢ଼ିଥିବା ଜିଲ୍ଲାରେ ହେଭିୱେଟ୍‌ଙ୍କ ନେତାଙ୍କ ମଧ୍ୟରେ ଥିଲେ ସୁବ୍ରତ ତରାଇ, ସାରଦା ପ୍ରସାଦ ନାୟକ, ଲକ୍ଷ୍ମଣ ମୁଣ୍ଡା, ଜର୍ଜ ତିର୍କୀ, ମଙ୍ଗଳା କିଶାନ, ପ୍ରଫୁଲ୍ଲ ମାଝୀ, ଯୋଗେଶ ସିଂ, ଜୁଏଲ ଓରାମ। ଏମାନଙ୍କ ବ୍ୟତିତ ସ୍ବାଧୀନ ପ୍ରାର୍ଥୀଭାବେ ରାଜଗାଙ୍ଗପୁର ଆସନରୁ ଦୁଇ ଦୁଇ ଥର ଜିତିଥିବା ଗ୍ରେଗୋରୀ ମିଞ୍ଜ ମଧ୍ୟ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଏହି ୯ ଜଣ ହେଭିୱେଟ୍‌ ନେତାଙ୍କ ମଧ୍ୟରୁ ୫ ଜଣଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି। ସେମାନେ ହେଲେ ଜର୍ଜ ତିର୍କୀ, ମଙ୍ଗଳା କିଶାନ, ଯୋଗେଶସିଂ, ଡା. ପ୍ରଫୁଲ୍ଲ ମାଝୀ ଓ ଗ୍ରେଗୋରୀ ମିଞ୍ଜ୍‌।

ବୀରମିତ୍ରପୁରର ପୂର୍ବ ବିଧାୟକ ଜର୍ଜ ତିର୍କୀ ଏଥର ‌ସୁନ୍ଦରଗଡ଼ ଲୋକସଭା ଆସନରେ ଲଢ଼ିଥିଲେ। ମାତ୍ର ତାଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଶ୍ରୀ ତିର୍କୀ ୨,୬୮,୨୧୮ ଭୋଟ୍‌ ପାଇ ପ୍ରଥମ ସ୍ଥାନରେ ଥିବା ଜୁଏଲ ଓରାମ (୫୦୦୦୫୬ ଭୋଟ୍‌), ଦ୍ବିତୀୟରେ ଥିବା ସୁନୀତା ବିଶ୍ବାଳ (୨୭୬୯୯୧ ଭୋଟ୍‌)ଙ୍କଠାରୁ ଢ଼େର୍‌ ପଛରେ ପଡ଼ିଯାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକେଟ୍‌ରୁ ଶ୍ରୀ ତିର୍କୀ ୧୯୯୫ରେ ସର୍ବପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୨୦୦୦ରେ ପୁନର୍ବାର ଜେଏମ୍‌ଏମ୍‌ ଟିକେଟ୍‌ରୁ ଏବଂ ୨୦୦୯ରେ ସ୍ବାଧୀନ ପ୍ରାର୍ଥୀଭାବେ ଓ ୨୦୧୪ରେ ସମତା କ୍ରାନ୍ତି ଦଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜିଲ୍ଲାର ଅନ୍ୟତମ ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଶାନଙ୍କୁ ମଧ୍ୟ ଏଥର ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଶ୍ରୀ କିଶାନ କଂଗ୍ରେସର ନୂଆ ମୁହଁ ଜିଏସ୍‌ ରାଜେନ ଏକ୍କାଙ୍କଠାରୁ ପରାସ୍ତ ହୋଇଛନ୍ତି। ଏହା ପୂର୍ବରୁ ଶ୍ରୀ କିଶାନ ସର୍ବାଧିକ ୫ ଥର (୧୯୮୫, ୧୯୯୦, ୧୯୯୫, ୨୦୦୦,୨୦୧୪) ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ସେ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ସମ୍ଭାଳିଥିଲେ। ତଳସରା ନିର୍ବାଚନ ମଣ୍ଡଳୀର କଂଗ୍ରେସର ତିନି ଥର ବିଧାୟକ ଡା. ପ୍ରଫୁଲ୍ଲ ମାଝୀଙ୍କୁ ମଧ୍ୟ ଏଥର ପରାଜୟ ଭୋଗିବାକୁ ପଡ଼ିଛି। ଡା. ମାଝୀ ୪୧,୧୧୧ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହି ଦୁଇ ନୂଆ ମୁହଁ ବିଜେପିର ଭବାନୀ ଶଙ୍କର ଭୋଇ (୬୦,୨୬୪ ଭୋଟ୍‌) ଓ ବିଜେଡିର ଷ୍ଟିଫେନ ୱିଲସନ ସୋରେଙ୍ଗ୍‌ (୪୪,୦୭୬ ଭୋଟ୍‌)ଙ୍କଠାରୁ ଢ଼େର୍‌ ପଛରେ ପଡ଼ିଯାଇଛନ୍ତି। ଡା. ମାଝୀ ୨୦୦୬ରେ ଉପ ନିର୍ବାଚନରେ ଜିତି ପ୍ରଥମଥର ପାଇଁ ବିଧାନସଭାକୁ ଆସିବାପରେ ୨୦୦୯ ଓ ୨୦୧୪ରେ ମଧ୍ୟ ବିଜୟୀ ହୋଇଥିଲେ। ସେହିଭଳି ନିର୍ବାଚନର କିଛିଦିନ ପୂର୍ବରୁ କଂଗ୍ରେସରୁ ବିଜେଡିକୁ ଡେଇଁଥିବା ଅନ୍ୟତମ ହେଭିୱେଟ୍‌ ନେତା ଯୋଗେଶ ସିଂ ମଧ୍ୟ ପରାଜିତ ହୋଇଛନ୍ତି। ଶ୍ରୀ ସିଂ ବିଜେପିର କୁସୁମ ଟେଟେଙ୍କଠାରୁ ୭,୩୬୪ ଭୋଟ୍‌ରେ ପରାସ୍ତ ହୋଇଛନ୍ତି। ଏହା ପୂର୍ବରୁ ଶ୍ରୀ ସିଂ ଦୁଇ ଦୁଇ ଥର (୨୦୦୯, ୨୦୧୪)ରେ କଂଗ୍ରେସରୁ ଲଢ଼ି ବିଜୟୀ ହୋଇଥିଲେ। ଏଥର ଅନ୍ୟତମ ହେଭିୱେଟ୍‌ ନେତା ଗ୍ରେଗୋରୀ ମିଞ୍ଜ୍‌ ସ୍ବାଧୀନ ପ୍ରାର୍ଥୀଭାବେ ଲଢ଼ି ପରାଜିତ ହୋଇଛନ୍ତି। କଂଗ୍ରେସ ଟିକେଟ୍‌ ଆଶାରେ ଥିବା ଗ୍ରେଗୋରୀ ମିଞ୍ଜ୍‌ଙ୍କ ବଦଳରେ ନୂଆ ଚେହେରା ସିଏସ୍‌ ରାଜେନ ଏକ୍କାଙ୍କୁ ଦଳୀୟ ଟିକେଟ ମିଳିଥିଲା। ଏହା ପ୍ରତିବାଦରେ ଶ୍ରୀ ମିଞ୍ଜ୍‌ ବିଦ୍ରୋହ କରି ସ୍ବାଧୀନ ପ୍ରାର୍ଥୀଭାବେ ଲଢ଼ିଥିଲେ। ମାତ୍ର ତାଙ୍କୁ ସଫଳତା ମିଳିପାରିନି। ୨୦୦୪ ଓ ୨୦୦୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ମିଞ୍ଜ୍‌ଙ୍କୁ ଏଥର ନିରାଶ ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର