ତୋଲକୋଇରେ ଥମୁନି ହାତୀ ଉପଦ୍ରବ:  ୫ ଘର ଭାଙ୍ଗିଲେ

ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ହାତୀ ଆକ୍ରମଣରେ ଧନଜୀବନ ହାନି ଘଟୁଛି। ଗତକାଲି ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଶିରିଗିଡ଼ା ଓ ବିମଳା ଗ୍ରାମରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ବିଳମ୍ବିତ ରାତିରେ ୯ ଟିକିଆ ହାତୀପଲ ଶିରିଗିଡା ଗ୍ରାମର ରୁଗୁଡିସାହିରେ ପଶି ୪ଟି ଓ ବିମଳା ଗ୍ରାମରେ ଗୋଟିଏ ପରିବାରର ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛନ୍ତି।

ଶିରିଗିଡା ଗ୍ରାମର ଡାକ୍ତର ନାୟକ, ଅକ୍ଷୟ ପେଣ୍ଠେଇ, ନରୋତ୍ତମ ପେଣ୍ଠେଇ, ଠୁରୁ ପେଣ୍ଠେଇ ଓ ବିମଳା ଗ୍ରାମର ଧ୍ୟାନ ନାୟକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛନ୍ତି। ବହୁ କଷ୍ଟରେ ଗ୍ରାମବାସୀ ମିଶି ହାତୀପଲକୁ ଘଉଡ଼ାଇବାରେ ସଫଳ ହୋଇଥିଲେ। ଖବର ପାଇ ବିମଳା ଫରେଷ୍ଟର କୌଶଲ୍ୟା ମହାନ୍ତ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି। ସକାଳେ ଶିରିଗିଡ଼ା ସରପଞ୍ଚ ମୋହନ ନାୟକ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର