ପୁରୀ ବିକାଶ ପାଇଁ ୫ ଯୁବ ଆଇଏଏସଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ପୁରୀର ବିକାଶ ପାଇଁ ୫ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି | ଏହି ଶିକ୍ଷାନବିଶ ଆଇଏଏସମାନେ ପୁରୀ ଜିଲ୍ଲାପାଳଙ୍କୁ ସହଯୋଗ କରିବେ | ପୁରୀର ବିକାଶ ପାଇଁ ହେଉଥିବା ବିଭିନ୍ନ ପ୍ରକଳ୍ପ ଦାୟିତ୍ବରେ ରହିବେ ଏହି ୫ ଜଣ ଆଇଏଏସ | ଏହି ଆଇଏଏସ ଅଫିସରମାନେ ୨୦୧୮ ବ୍ୟାଚର ହୋଇଥିବାବେଳେ ଏମାନଙ୍କ ନାମ ହେଉଛି ସୂର୍ଯ୍ୟବଂଶୀ ମୟୁର ବିକାଶ, ଡ.ଶୁଭଙ୍କର ମହାପାତ୍ର,  କୀର୍ତ୍ତିଭାସନ୍ ଭି, ଜେ ସୋନାଲ ଓ ଭୁବନେଶ ଦେବଦାସ ପାଟିଲ |

ଏହି  ଆଇଏଏସ୍ ଅଧିକାରୀମାନେ ଶୁକ୍ରବାର  ପୁରୀରେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ୍ ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ସେମାନଙ୍କୁ ସେମାନଙ୍କର ଦାୟିତ୍ୱ ସଂପର୍କରେ ବୁଝାଇବା ସହ ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ପରାମର୍ଶ ଦେଇଛନ୍ତି ।

ଏଠାରେ ସୂଚନା ଥାଉ କି ମହାପ୍ରଭୁଙ୍କ କ୍ଷେତ୍ରର ନୂତନ ନିର୍ମାଣ ପାଇଁ କିଛିଦିନ ପୂର୍ବେ ବିଭିନ୍ନ ପ୍ରକଳ୍ପ ବାବଦରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ | ପୁରୀକୁ ବିଶ୍ବ ଐତିହ୍ୟ ନଗରୀରେ ପରିଣତ କରିବା ଲାଗି ଯେଉଁ ପ୍ରକଳ୍ପ ହାତକୁ ନିଆଯାଉଛି, ସେ ସବୁର ଦାୟିତ୍ୱରେ ଏହି ଆଇଏଏସ ମାନେ ରହିବେ |

ବିଶେଷ କରି ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ରଘୁନନ୍ଦନ ପାଠାଗାର ସହ ୫୯୫ କୋଟି ଟଙ୍କା ବିନିଯୋଗରେ ଶ୍ରୀ ସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷା ନଦୀ ପୁନରୁଦ୍ଧାର, ପୁଷ୍କରିଣୀର ସୌନ୍ଦର୍ଯୀକରଣ, ଅଠରନଳାର ବିକାଶ ଓ ମଠ ବିକାଶ ପାଇଁ ଯୋଜନା କରାଯାଇଛି ।

ସମ୍ବନ୍ଧିତ ଖବର