ବିଞ୍ଛାରପୁରରେ ଅଘଟଣ : ବାଣ ବିସ୍ଫୋରଣରେ ଛାତ ଉଡ଼ିଲା, ୫ ଆହତ, ୨ କଟକ ସ୍ଥାନାନ୍ତର

ବିଂଝାରପୁର/ସିଂହପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ପଶ୍ଚିମ ବାଛୋଳ ଗ୍ରାମରେ ବେଆଇନ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ହେବାରୁ ୫ଜଣ ଗୁରୁତ ଆହତ ହୋଇଛନ୍ତି। ଆହତଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦି’ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ରମାକାନ୍ତ ସାହୁ(୫୦)ଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ବାଣ ଭିଡୁଥିଲେ। ସନ୍ଧ୍ୟା ପ୍ରାୟ ୫ଟାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ରମାକାନ୍ତ ସାହୁଙ୍କ ନବ ନିର୍ମିତ ୬ ବଖରା କୋଠା ଘରର ଛାତ ଓ କାନ୍ଥ କ୍ଷତିଗ୍ରସ୍ତ ହୋଇଛି। ବିସ୍ଫୋରଣରେ ରମାକାନ୍ତଙ୍କ ସମେତ ତାଙ୍କ ପୁଅ ସୌଭାଗ୍ୟ ସାହୁ(୨୩), ଏକାଦଶୀ ଦାସଙ୍କ ପୁଅ ସୁଧାଂଶୁ ଦାସ(୨୩), ରମାକାନ୍ତଙ୍କ ମା’ ରୁକ୍ମଣୀ ସାହୁ(୮୦), ରମାକାନ୍ତଙ୍କ ଭଉଣୀ ଶାନ୍ତିଲତା ସାହୁ (୫୦) ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ମଧ୍ୟରୁ ଦୁଇ ଜଣ ରମାକାନ୍ତ ସାହୁ ଓ ସୌଭାଗ୍ୟ ସାହୁଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁଧାଂଶୁ ଓ ଶାନ୍ତିଲତା ଚିକିତ୍ସିତ ହେଉଛନ୍ତି।

ଖବର ପାଇ ବିଞ୍ଝାରପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ବିଞ୍ଝାରପୁର ଥାନା ଅଧିକାରୀ ଶିବଚରଣ ବେହେରା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଅଫୁଟା ବାଣ ଜବତ କରିଛନ୍ତି। ଘଟଣାରେ ବିଞ୍ଝାରପୁର ଥାନା ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଆହତଙ୍କ ସ୍ୱାସ୍ଥ୍ୟଅବସ୍ଥା ବିପଦମୁକ୍ତ ରହିଥିବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର