ପୁରୀ ସଦର ଥାନା ଅନ୍ତର୍ଗତ ଷଣ୍ଢପୁର ଗାଁରେ ଶତାଧିକ ବୋମା ଫୁଟିଲା, ୫ ଗୁରୁତର

ପୁରୀ : ପୁଲିସର ଅବହେଳା ଯୋଗୁଁ ଆଜି ସଦର ଥାନା ଅନ୍ତର୍ଗତ ଷଣ୍ଢପୁର ଗାଁରେ ଶତାଧିକ ବୋମା ଫୁଟିଛି। ଏହି ବୋମାମାଡ଼ର ପ୍ରଚ୍ଛଦ ପଟରେ ଜମି ବିବାଦ ରହିଥିବା ଜଣାପଡ଼ିଛି। ଜମି ବିବାଦକୁ କେନ୍ଦ୍ର କରି ସଦର ଥାନା ଇଲାକାରେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ବୋମାମାଡ଼ରେ ୫ ଜଣ ଗୁରୁତର ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଚଳାଇଛି। ତେବେ ଏଠାରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ଫୋର୍ସ ମୁତୟନ ରହିଛନ୍ତି। ଏ ସମ୍ପର୍କରେ ସଦର ଥାନାରେ ଲିଖିତ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରିଛି। ଘଟଣା ସମ୍ପର୍କରେ ଏସ୍‌ପିଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି। ଗଣ୍ଡଗୋଳରେ ଶତାଧିକ ବୋମାମାଡ଼ ହୋଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି।

ପ୍ରାପ୍ତ ଖବର ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ଷଣ୍ଢପୁର ଗାଁ’ରେ ଏକ ଜମିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଥିଲା। ଏହି ବିବାଦ ଗତ ଗଣେଷ ପୂଜା ଦିନ ଉଗ୍ରରୂପ ନେଇଥିଲା। ଗାଁ’ରେ ମଧ୍ୟ ଭଦ୍ର ଲୋକ ବସି ବିବାଦ ସମାଧାନ ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଏଥିରେ କୌଣସି ସୁଫଳ ମିଳିନଥିଲା। ଗତକାଲି ଏହି ଜମିରେ ଏକ ଗୋଷ୍ଠୀ ଭୋଜିଭାତ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଆଜି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ପାଟିତୁଣ୍ଡ ଆଜି ଉଗ୍ରରୂପ ନେବା ସହ ସେଠାରେ ଦୁର୍ବୃତ୍ତମାନେ କ୍ୟାବିନ ଭଙ୍ଗାରୁଜା କରିବା ସହିତ ଦୁଇଟି ଗାଡ଼ିରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ।

ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବୋମାମାଡ଼ରେ ବସୁମତୀ ଭୋଇ, ତାଙ୍କ ସ୍ବାମୀ ଅଜୟ ଭୋଇ, ଅକ୍ଷୟ ଭୋଇ, ବୈଷ୍ଣବ ଭୋଇ ଓ ସୁକୁମାରୀ ଭୋଇ ପ୍ରମୁଖ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଖବର ପାଇ ଘଟଣାସ୍ଥଳ ଏବଂ ଡାକ୍ତରଖାନାରେ ସଦର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଷଣ୍ଢପୁର ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର