କାର୍‌ ଓଲଟି ଗଛରେ ପିଟି ହେଲା, ଗୋଟିଏ ପରିବାରର ୩ ଶିଶୁ ସମେତ ୫ ଗୁରୁତର

କରଂଜିଆ/କରଂଜିଆ ଗୋଲେଇ/ତାଟୋ : କରଂଜିଆ ସହରରୁ ୩ କିମି ଦୂର କଳିକାପୁରରେ ଦୁର୍ଘଟଣା ଘଟି ଆଜି ୫ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତର ଗୋଟିଏ ପରିବାରର। ଗୁରୁତର ବ୍ୟକ୍ତିମାନେ ହେଲେ ବହଳଦା ଥାନା ଅନ୍ତର୍ଗତ ଶଶ ଗ୍ରାମର ଶ୍ୟାମ ଚରଣ ମୁର୍ମୁ(୫୦), ତାଙ୍କ ପତ୍ନୀ ସୁଖୀ ମୁର୍ମୁ(୨୫), ପୁଅ ସୁନିତ(୩) ଓ ସୁଜିତ(୨), ପୁତୁରା ବଳରାମ ମୁର୍ମୁ(୧୧)। ସମସ୍ତଙ୍କୁ କରଂଜିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁୁରୁତର ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଛି।

ଘଟଣାରୁ ପ୍ରକାଶ, ଶ୍ୟାମ ଚରଣ ମୁର୍ମୁ ଭୁବନେଶ୍ୱରସ୍ଥିତ ଏଜି ଅଫିସ୍‌ରେ କାର୍ଯ୍ୟ କରନ୍ତି। ମକର ପର୍ବ ସାରି ପରିବାର ସହିତ ଭୁବନେଶ୍ୱରକୁ ନଂ. ଓଡି ୦୨ ଏକ୍ସ ୨୯୮୭ ବିଶିଷ୍ଟ ହୋଣ୍ଡାଇ କାର୍‌ ଯୋଗେ ଫେରୁଥିଲେ। ଶ୍ୟାମ ଚରଣ କାର୍‌ ଚଳାଉଥିଲେ। ଦିନ ପ୍ରାୟ ୧୧ଟା ହେବ। ୨୨୦ ନଂ. ଜାତୀୟ ରାଜପଥର କାଳିକାପୁରଠାରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ି ଗଛରେ ପିଟି ହୋଇ ଯାଇଥିଲା। କାର୍‌ଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଖବରପାଇ ୧୦୮ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ କରଂଜିଆ ମେଡିକାଲକୁ ନେଇଥିଲା।

ସମ୍ବନ୍ଧିତ ଖବର