ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ଗୋଲିଆ ଗ୍ରାମରେ ଗତ ପଞ୍ଚାୟତ ନିର୍ବାଚନ ପରଠୁ ଲାଗି ରହିଥିବା ଦୁଇ ରାଜନୈତିକ ଗୋଷ୍ଠୀ ଭିତରେ ଛକାପଞ୍ଝା ପୁଣି ଉଗ୍ର ରୂପ ନେଇଛି। ଆଜି ସନ୍ଧ୍ୟାରେ ଗାଁରେ ବୋମାମାଡ଼ ସାଙ୍ଗକୁ ଖଣ୍ଡା, କାତି ଓ ଠେଙ୍ଗାରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ବୋମାମାଡ଼ ଓ ସଂଘର୍ଷରେ ୫ ଜଣ ଆହତ ହୋଇଛନ୍ତି। ଏହାସହ ଗୋଟିଏ ବାଇକ୍କୁ ବି ଭାଙ୍ଗି ଦିଆଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ଗାଁ ମୁଖ୍ୟ ରାସ୍ତା ଉପରେ ବୋମା ପଡ଼ିଥିବାରୁ ଆତଙ୍କର ବାତାବରଣ ଦେଖା ଦେଇଛି। ଅଞ୍ଚଳରେ ଦୋକାନ ଓ ବଜାର ବନ୍ଦ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ଡେରା ପକାଇ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଚିତ୍ତରଂଜନ ବେହେରା ସୂଚନା ଦେଇଛନ୍ତି। ତିନି ଜଣ ଆହତ ବୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଦୁଇ ଆହତଙ୍କୁ କେଉଁଠି ଚିକିତ୍ସା ପାଇଁ ନିଆଯାଇଛି ସେ ବିଷୟରେ ସୂଚନା ମିଳିପାରିନି। ପଞ୍ଚାୟତ ନିର୍ବାଚନ ସମୟରୁ ହିଁ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ତେବେ କିଛି ମାସ ହେଲା ପରିସ୍ଥିତି ଶାନ୍ତ ଥିଲା। ଗତକାଲି ରାତିରେ କିଛି ଦୁର୍ବୃତ୍ତ ସରପଞ୍ଚ ମନୋରମା ପ୍ରଧାନଙ୍କ ଘର ସାମ୍ନାକୁ ଯାଇ ପାଟିତୁଣ୍ଡ କରିବା ସହ ଧମକଚମକ ଦେଇଥିଲେ। ଏହାକୁ କେନ୍ଦ୍ର କରି ଉଭୟ ଶିବିରରେ ଛକାପଞ୍ଝା ଲାଗିଥିଲା। ଆଜି ସନ୍ଧ୍ୟାରେ ଉଭୟ ଗୋଷ୍ଠୀ ପୁଣି ମୁହାଁମୁହିଁ ହୋଇଥିଲେ। ଗାଁ ଛକ ଉପରେ ପ୍ରଥମେ ଗୋଟିଏ ବୋମାମାଡ଼ ହୋଇଥିଲା। ଏହାପରେ ଅନ୍ଧାରରେ ଉଭୟ ଗୋଷ୍ଠୀ ଠେଙ୍ଗାବାଡ଼ି ଓ ଖଣ୍ଡା, କାତି ଓ ବୋମାରେ ପରସ୍ପରକୁ ଆକ୍ରମଣ କରିଥିଲେ।
ଗୋଲିଆରେ ରାଜନୈତିକ ସଂଘର୍ଷ, ୫ ଜଣ ଆହତ
/sambad/media/post_attachments/wp-content/uploads/2019/08/group-clash-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)