ଦଳାଚକଟା ୫ ଗୁରୁତର

ପୁରୀ : ରଥଯାତ୍ରାରେ ଟ୍ରାଫିକ୍ ନିୟନ୍ତ୍ରଣରେ ପ୍ରଶାସନ ବିଫଳ ହୋଇଛି। ଆଜି ବାହୁଡ଼ାରେ ଦୋଳମଣ୍ଡପସାହିରେ ଦଳାଚକଟା ହୋଇ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି। ସେହିଭଳି ଆଉ କେତେଜଣ ଭକ୍ତ ଚେତାଶୂନ୍ୟ ହୋଇପଡ଼ିବାରୁ ସେମାନଙ୍କୁ ମଧ୍ୟ ମେଡିକାଲରେ ଭର୍ତି କରାଯାଇଛି।

ଏହି ଅବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ପ୍ରସ୍ତୁତିକୁ ପଦାରେ ପକାଇଛି। ଜିଲ୍ଲା ପ୍ରଶାସନ ସମାଲୋଚନାର ଶିକାର ହୋଇଛି।

ମିଳିଥିବା ସୂଚନା ମୁତାବକ, ଆଜି ତିନି ଠାକୁରଙ୍କ ବାହୁଡ଼ା ଯାତ୍ରା ସଅଳ ସରିଥିଲା। କିନ୍ତୁ ଟ୍ରାଫିକ୍ ନିୟନ୍ତ୍ରଣ ଦିଗରେ ପୁଲିସ୍‌ ଅପ୍ରସ୍ତୁତ ଥିଲା। ଏହି ସମୟରେ ଅଚାନକ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ପୁଲିସର ଚିନ୍ତା ବଢ଼ାଇ ଦେଇଥିଲା। ଯେଉଁ ଜାଗାରେ ପ୍ରକୃତ ଭିଡ଼ ସେଠାରେ ଆବଶ୍ୟକ ସଂଖ୍ୟକ ପୁଲିସ କର୍ମଚାରୀ ମୂତୟନ କରିବାକୁ ଭୁଲି ଯାଇଥିଲା ପ୍ରଶାସନ। ଦୋଳମଣ୍ଡପ ସାହି ଶ୍ରୀମନ୍ଦିରରୁ ଯାଆସର ଏକ ପ୍ରମୁଖ ରାସ୍ତା। ଏହି ସଂକୁଚିତ ରାସ୍ତାରେ ବର୍ଷତମାମ ଭିଡ଼ ଲାଗି ରହିଥାଏ। ଆଜି ବାହୁଡ଼ା ଯାତ୍ରା ଥିବାରୁ ସମୁଦ୍ରକୁ ବୁଲି ଯାଇଥିବା ଭକ୍ତମାନେ ବି ଏହି ରାସ୍ତା ଦେଇ ବଡ଼ଦାଣ୍ଡକୁ ବାହାରିବାକୁ ଚେଷ୍ଟା କରିଥିଲେ। ଏହା ଭିତରେ ବାଇକ୍‌ଠାରୁ ଆରମ୍ଭ କରି ଚାରିଚକିଆ ଯାନ ଯୋଗୁଁ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ରାସ୍ତାକୁ ଯେଭଳି ସିଲ୍ କରିବା କଥା ସେଭଳି କିଛି ପଦକ୍ଷେପ ନେଇନଥିଲା ପ୍ରଶାସନ। ଶେଷ ବେଳକୁ ଯେତେବେଳେ ଭିଡ଼ ବଢ଼ି ଯାଇଥିଲା, ସେତେବେଳେ ଭକ୍ତଙ୍କ ବାଟକୁ ଅବରୋଧ କରିଥିଲା ପୁଲିସ। ଫଳସ୍ୱରୂପ ଦୋଳମଣ୍ଡପ-ମୋଚିସାହିର ଏହି ରାସ୍ତାରେ ଟ୍ରାଫିକ୍ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଦଳାଚକଟା ପରିସ୍ଥିତି ଉପୁଜିଥିଲା।

ସମ୍ବନ୍ଧିତ ଖବର