ନିର୍ବାଚନ ପୂର୍ବ ସନ୍ଧ୍ୟାରେ ରାଜନୈତିକ ହିଂସା: ଦଶରଥପୁରରେ ୫ ଗୁରୁତର, ବଡ଼ଚଣାରେ ପୁଲିଂ ବୁଥ୍‌ ଉପରକୁ ବୋମାମାଡ଼

ଯାଜପୁର: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟାରେ ଦଶରଥପୁର ବ୍ଲକର ଚଷାଖଣ୍ଡ ପଞ୍ଚାୟତରେ ରାଜନୈତିକ ହିଂସା ଘଟିଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବାରୁ ୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ଖବର ଅନୁସାରେ ଆଜି ସନ୍ଧ୍ୟାରେ ଚଷାଖଣ୍ଡ ଗ୍ରାମରେ ବିପକ୍ଷ ଦଳର ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ଟଙ୍କା ବାଣ୍ଟି ପାରି ନଥିବାରୁ ଆକ୍ରମଣ କରାଯାଇଥିବା ଜନୈକା ମହିଳା କହିଛନ୍ତି। ଆକ୍ରମଣରେ ଚଷାଖଣ୍ଡର ପରମାନନ୍ଦ ମଲିକଙ୍କ ମୁଣ୍ଡ ଫାଟିଯାଇଛି। ସେହିପରି ସନ୍ତୋଷ ମଲିକଙ୍କ ମୁହଁରେ ଗଭୀର ଆଘାତ ଲାଗିଛି। ତାଙ୍କ ମା’ ମଧ୍ୟ ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ଚଷାଖଣ୍ଡର ପୂର୍ବତନ ସରପଞ୍ଚ ମହେନ୍ଦ୍ର ଧଳ କହନ୍ତି ଯେ ଚଳିତଥର ଜଣେ ପ୍ରାର୍ଥୀ ଓ ତାଙ୍କ ଭାଇ ନିର୍ବାଚନ କରାଇ ନଦେବା ପାଇଁ ଏଭଳି ଗଣ୍ଡଗୋଳ ଘଟାଇଛନ୍ତି।

ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନା ବଡ଼ବାଲିକୁଦା ପଞ୍ଚାୟତର ଜନକ ନୋଡାଲ ଉପ୍ରା ବିଦ୍ୟାଳୟରେ ହୋଇଥିବା ପୁଲିଂ ବୁଥ୍‌ ଉପରକୁ ଆଜି ସନ୍ଧ୍ୟ‌ାରେ କେହି ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି। ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ବଡ଼ଚଣା ବ୍ଲକରେ ରାତି ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ କରାଯିବ। ଏଥିପାଇଁ ପୁଲିଙ୍ଗ ଟିମ୍ ଆଜି ନିର୍ଦ୍ଧାରିତ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି। ଜନକ ଗାଁର ୬ ଗୋଟି ବୁଥ୍‌ ପାଇଁ ଏହି ବିଦ୍ୟାଳୟରେ ପୁଲିଙ୍ଗ ପାର୍ଟି ରହିଛନ୍ତି। ସନ୍ଧ୍ୟାରେ ବର୍ଷା ଯୋଗୁଁ ବିଦ୍ୟୁତ୍‌ ସରବରାହ ବନ୍ଦ ଥିଲା। ଅନ୍ଧାରର ସୁଯୋଗ ନେଇ ନଦୀବନ୍ଧରେ ଗୋଟିଏ ମଟରସାଇକେଲରେ ଦୁଇଜଣ ଦୁର୍ବୃତ୍ତ ଆସି ବିଦ୍ୟାଳୟ ଉପରକୁ ଗୋଟିଏ ବୋମା ଫିଙ୍ଗି ଚମ୍ପଟ ମାରିଥିଲେ। ଖବରପାଇ ବାଲିଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ କହିବା ଅନୁସାରେ ଏହା ବୋମା ନୁହେଁ, ଲୋକଙ୍କୁ ଭୟଭୀତ କରିବା ପାଇଁ କେହି ଶୂନଫୁଟୁକା ପକାଇଛି। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତର ବଡ଼ବାଲିକୁଦାର ଏକ ବୁଥ୍‌ରୁ ଦୁର୍ବୃତ୍ତମାନେ ଭୋଟବାକ୍ସ ନେଇଯାଇଥିଲେ। ଆକ୍ରମଣରେ ପୁଲିସ ମଧ୍ୟ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର