ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୁଲିସ ୫ଜଣ ଅନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜଣେ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତଙ୍କ ପାଖରୁ ୨୦ ହଜାର ଟଙ୍କା, ୩ଟି ବାଇକ୍‌, ୮ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ଛତିଶଗଡ଼ ରାୟପୁର ଜିଲ୍ଲାର ଶିବା ନେତମ (୨୩), ଗଞ୍ଜାମ ଜିଲ୍ଲା କୋଟିନାଡ଼ା ଥାନା ସାହାପୁର ଗ୍ରାମର ଏ. ଜଗନ୍ନାଥ (୪୦), ଯାଜପୁର ଜିଲ୍ଲା ମୁଣ୍ଡମାଳ ଗ୍ରାମର ସନ୍ଦୀପ ପ୍ରଧାନ (୨୦), ସମୀର ପ୍ରଧାନ (୧୯) ଓ ବିକି ପ୍ରଧାନ (୨୩)।

Advertisment

ଜୁଲାଇ ମାସରେ ପାଟଣା ଥାନା ଦାସପଡ଼ା ଗ୍ରାମର ବିଦ୍ୟାଧର ମହାନ୍ତ ସ୍ଥାନୀୟ ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୧୭ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ବାଟରେ ଦୁର୍ବୃତ୍ତମାନେ ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଛଡ଼ାଇ ଚମ୍ପଟ ମାରିଥିଲେ। ଏନେଇ ପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ ସମେତ ଛତିଶଗଡ଼ରେ ପୁଲିସ ଚଢ଼ଉ କରି ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ଅଭିଯୁକମାନଙ୍କ ନାମରେ ପାଟଣା, ବଡ଼ବିଲ, ନୟାକୋଟ, ନନ୍ଦିପଦା, ରରୁଆଁ, ଅନୁଗୁଳ, ଦିଗପହଣ୍ଡି ଆଦି ଥାନାରେ ଏକାଧିକ ଚୋରି ଓ ଲୁଟ୍‌ ମାମଲା ଥିବା ଘଟଗାଁ ଏସ୍‌ଡିପିଓ ପ୍ରଭାତ ତ୍ରିପାଠୀ ଓ ପାଟଣଶ ଥାନା ଅଧିକାରୀ ବିବତ୍ସ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।