ହୋଲି ଖେଳରୁ ମହାଭାରତ; ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫ ଗୁରୁତର

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ତଳୀ ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡା ଗାଁରେ ପଞ୍ଚାୟତ ନିର୍ବାଚନ ସମୟରୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ଉଗ୍ର ରୂପ ଧାରଣ କରିଛି। ଗ୍ରାମରେ ହୋଲି ଖେଳ ଚାଲିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ କଥାକଟା କଟି ଏବଂ ପରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୬ ଜଣ ଯୁବକ ଆହାତ ହୋଇଛନ୍ତି । ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଠି ହୋଇ ଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି। ସମସ୍ତ ଆହାତମାନଙ୍କୁ ସ୍ଥାନୀୟ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରୁ ରାମଚନ୍ଦ୍ରପୁର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ଘଟଣାକୁ ନେଇ ଗଡବାନ୍ଧଗୋଡା ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଠି ହୋଇଛି। ଉପଖଣ୍ତ ପୁଲିସ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। ସୂଚନାରୁ ଜଣାଯାଏ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ର (ଓରଫ ରାଜା ଚକ୍ର)ଙ୍କ ପୈତୃକ ଗାଁ ଗଡବାନ୍ଧଗୋଡା ହୋଇଥିବାରୁ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ରାଜନୈତିକ ପତିଆରା ପାଇଁ ଦୀର୍ଘଦିନ ହେଲା ଛକାପଞ୍ଝା ଲାଗି ରହିଛି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର