ଭୁବନେଶ୍ବର: ୭୯ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୧୪ ମାସ ହେବ ଓଡ଼ିଶା ବିକାଶର ଏକ ନୂଆ ଯାତ୍ରାରେ ସାମିଲ ହୋଇଛି। ରାଜ୍ୟର କୃଷି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ କୋଟିଏ ପର୍ଯ୍ୟନ୍ତ ସହାୟତା ଦିଆଯାଉଛି। ସମୃଦ୍ଧ କୃଷକ ଯୋଜନା ତଥା ପିଏମ୍ ଓ ସିଏମ୍ କିଷାନ ଯୋଜନାରେ ରାଜ୍ୟର ୫୦ ଲକ୍ଷରୁ ଅଧିକ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସହାୟତା ମିଳୁଛି। ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଚାଷୀ ପରିବାରଙ୍କ ରୋଜଗାର ବର୍ଷକୁ ଅତିକମ୍ରେ ୩୦ ହଜାର ଟଙ୍କା ବୃଦ୍ଧି ପାଇଛି। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୫ କାର୍ଯ୍ୟକ୍ରମ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ଓ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସହିତ ଏହି କାର୍ଯ୍ୟକ୍ରମ ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଛି। ଗତ ୬/୭ ମାସ ମଧ୍ୟରେ ରାଜ୍ୟରେ ୬୦ରୁ ଅଧିକ ଶିଳ୍ପ ସ୍ଥାପନ କରାଯାଇ ୧ ଲକ୍ଷ ୮୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ହୋଇପାରିଛି। ଏହାଦ୍ୱାରା ୧ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବା ସୁନିଶ୍ଚିତ ହୋଇଛି। ନିକଟରେ ଅନୁଷ୍ଠିତ ଓଡ଼ିଶା ଟେକ୍ସଟାଇଲ୍ କନ୍କ୍ଲେଭ୍ରେ ୭ ହଜାର ୮୦୦ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ସହିତ ୫୩ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।
ରାଜ୍ୟରେ ଏବେ ୧୨ଟି ସରକାରୀ ମେଡିକାଲ କଲେଜ ରହିଛି। ଖୁବଶୀଘ୍ର ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରଠାରେ ସରକାରୀ ମେଡିକାଲ କଲେଜ ଖୋଲିବ। ବ୍ରହ୍ମପୁର ମେଡିକାଲ କଲେଜକୁ ଏମ୍ସ ପ୍ଲସ୍ କରିବା ପାଇଁ ସରକାରଙ୍କର ପ୍ରସ୍ତାବ ଅଛି। ରାଜ୍ୟର ୩ଟି ବୃହତ୍ତମ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କ ସହିତ ଆସୁଥିବା ଆତ୍ମୀୟସ୍ୱଜନଙ୍କ ପାଇଁ ସୁଲଭ ମୂଲ୍ୟରେ ରହଣି ବ୍ୟବସ୍ଥା ହେବାକୁ ଯାଉଛି। ଏଥିପାଇଁ ପ୍ରାୟ ୨ ହଜାର ୨୫୦ ଶଯ୍ୟାର ସୁବିଧା କରାଯାଉଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩ କୋଟି ୨୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ରାଜ୍ୟର ପଛୁଆ ଅଞ୍ଚଳର ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୮ଟି କେବିକେ ଜିଲ୍ଲା ସହିତ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାର ପ୍ରାୟ ୨୭ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ପରିବାରଙ୍କୁ ୩ ମାସ ପାଇଁ ମାସିକ ୫ କେଜି ଅତିରିକ୍ତ ଚାଉଳ ମାଗଣାରେ ମିଳିବ। ଏ ବାବଦରେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ପ୍ରାୟ ୧୮୦ କୋଟି ଟଙ୍କା ବହନ କରିବେ।
ଏମ୍ସ ପ୍ଲସ୍ ଢାଞ୍ଚାରେ ହେବ ଏମ୍କେସିଜି
ଖୋଲିବ ଆଉ ୪ ମେଡିକାଲ କଲେଜ
ପୁରୁଣା ମେଡିକାଲ କଲେଜ ହସ୍ପିଟାଲରେ ସୁଲଭ ରହଣି ବ୍ୟବସ୍ଥା
ସ୍ଥାପନ ହେବ ଆଉ ୨୧ଟି ନୂତନ ଏନ୍ଏସି
ରାଜଧାନୀରେ ହେବ ‘ଜନ ଆଶ୍ରୟ ଭବନ’
ଜନସାଧାରଣଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଆଉ ୨୧ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୫ ବର୍ଷରେ ୭୫ ହଜାର କିମିର ଉଚ୍ଚମାନର ସଡ଼କ ନିର୍ମାଣ କରାଯିବ। ଭୁବନେଶ୍ୱରକୁ କାମ ପାଇଁ ଆସୁଥିବା ଲୋକଙ୍କ ପାଇଁ ‘ଜନ ଆଶ୍ରୟ ଭବନ’ ନିର୍ମାଣ ହେବାକୁ ଯାଉଛି। ଏହାସହ ରାଜ୍ୟରେ ଡ୍ୟୁଟି ସମୟରେ ପ୍ରାଣବଳି ଦେଇଥିବା ପୁଲିସ କର୍ମଚାରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ପୁଲିସ ସ୍ମାରକୀ (ମେମୋରିଆଲ) ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସରକାର କ୍ଷମତାକୁ ଆସିବା ପରଠାରୁ ୨୮ ହଜାର ୩୯୨ଟି ପଦବି ପୂରଣ କରିଛନ୍ତି। ଏହାସହ ୩୪ ହଜାର ୫୦୦ଟି ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ବିଭିନ୍ନ ଆୟୋଗ ପକ୍ଷରୁ ଜାରି ରହିଛି। ଆହୁରି ୨୨ହଜାର ୮୯୬ଟି ଖାଲି ପଦବି ପୂରଣ ପାଇଁ ମଧ୍ୟ ଖୁବଶୀଘ୍ର ଅନୁମତି ପ୍ରଦାନ କରାଯିବ। ଖୁବଶୀଘ୍ର ରାଜ୍ୟରେ ଏକ ଫାର୍ମା ସମ୍ମିଳନୀ ହେବାକୁ ଯାଉଛି। ଆଗାମୀ ଦିନରେ ଓଡ଼ିଶା ଦେଶର ଫାର୍ମା ହବ୍ ପାଲଟିବା ସହ ଏହି କ୍ଷେତ୍ରରେ ୨ ଲକ୍ଷ ୫୦ ହଜାରରୁ ଅଧିକ ରୋଜଗାର ସୃଷ୍ଟି ହେବ। ରାଜ୍ୟ ସରକାର କୋଟିଏରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା ଯୋଜନା’ରେ ୩ଟି କିସ୍ତିରେ ୧୫ ହଜାର ଟଙ୍କା ଦେଇ ସାରିଲେଣି। ରାଜ୍ୟର ପ୍ରାୟ ୧୭ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟିକରି ଦେଶରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଓଡ଼ିଶା। ରାଜ୍ୟରେ ନିଶା ନିବାରଣକୁ ଆହୁରି ଜୋରଦାର କରାଯିବ। ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଲାଗୁ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ପରେଡ୍କୁ ଆଇପିଏସ୍ ଅନନ୍ୟା ଅବସ୍ଥି ପରିଚାଳନା କରିଥିଲେ। ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାଗ ନେଇଥିବା ଶ୍ରେଷ୍ଠ ବିବେଚିତ ପ୍ଲାଟୁନ୍ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ପୁଲିସ ଡିଜି ୱାଇବି ଖୁରାନିଆ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଗୁର୍ବୀର ସିଂହଙ୍କ ସହ ଅନ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ଲୋକସଂପର୍କ ଅଧିକାରୀ ରୋଜାଲିନ୍ ସାହୁ ଓ ବିନାୟକ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।