ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଉପରବଜାରରେ ଥିବା ନାରାୟଣ ଜୁଏଲର୍ସରୁ ବୁଧବାର ସନ୍ଧ୍ୟାରେ ସଶସ୍ତ୍ର ଡକାୟତି ହୋଇଛି। ଦୁଇଟି ବାଇକ୍‌ରେ ୬ଜଣ ଦୁର୍ବୃତ୍ତ ଆସି ଦୋକାନ ମାଲିକ ନିରଞ୍ଜନ ସାହୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୫ କେଜିରୁ ଊର୍ଦ୍ଧ୍ବ ସୁନାଗହଣା ଲୁଟି ନେଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନ୍‌ଭିନ୍‌ କରିଛି। ଦୋକାନରୁ ବାହାରିବା ପରେ ଦୁର୍ବୃତ୍ତମାନେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ପାଇଁ ୨ ରାଉଣ୍ଡ ଗୁଳି ଫୁଟାଇଥିବା 
ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୬.୪୫ରେ ଦୁଇଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ ନାରାୟଣ ଜୁଏଲର୍ସ ଆଗରେ ବାଇକ୍‌ ରଖି ଠିଆ ହୋଇଥିଲେ ଏବଂ ଅନ୍ୟ ୪ ଜଣ ମୁହଁରେ କପଡ଼ା ବାନ୍ଧି, ହେଲ୍‌ମେଟ୍‌ ପିନ୍ଧି ଦୋକାନରେ ପଶିଥିଲେ। ଜଣେ ଦୁର୍ବୃତ୍ତ ଦୋକାନ ମାଲିକ ନିରଞ୍ଜନ ସାହୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲା। ଅନ୍ୟମାନେ କର୍ମଚାରୀଙ୍କୁ ଭୟଭୀତ କରି ଦୋକାନରେ ଥିବା ସମସ୍ତ ସୁନାଗହଣା ବ୍ୟାଗ୍‌ରେ ପୂରାଇଥିଲେ। ଲୁଟ୍‌ପାଟ ସାରି ଦୁର୍ବୃତ୍ତମାନେ ପଦାକୁ ଆସିବାବେଳେ ‌ବାହାରେ ଲୋକଙ୍କ ଭିଡ଼ ଜମିଥିଲା। ସେମାନଙ୍କୁ ଭୟଭୀତ କରିବା ପାଇଁ ଦୁର୍ବୃତ୍ତମାନେ ଦୁଇ ରାଉଣ୍ଡ ଗୁଳି ଫୁଟାଇବା ପରେ ବାଇକ୍‌ରେ ବସି ଗାନ୍ଧୀଛକ ଦେଇ ବ୍ରାହ୍ମଣୀପାଳ ଆଡ଼କୁ ଚମ୍ପଟ ମାରିଥିଲେ।

ଦୁର୍ବୃତ୍ତମାନେ ତାଳଡ଼ିହି ଆଡ଼କୁ ଯାଉଥିବା ଜାଣି ପୁଲିସ ସେଠାରେ ଛକି ରହିଥି‌ଲା। ଏ ସମ୍ପର୍କରେ ଦୁର୍ବୃତ୍ତମାନେ ଆଗୁଆ ସୂଚନା ପାଇ ତାଳଡ଼ିହି ପୂର୍ବରୁ ଥିବା ବାଙ୍କସାହି ଜଙ୍ଗଲ ଭିତରେ ପଶି ଯାଇଥିଲେ। ପୁଲିସ ଓ ସ୍ଥାନୀୟ ଯୁବକମାନେ ଜଙ୍ଗଲରେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର ପତ୍ତା ପାଇନଥିଲେ। ଖବର ପାଇ ଘଟଗାଁ ଏସ୍‌ଡିପିଓ ବିଜୟ କୁମାର ମହାପାତ୍ର, ହରିଚନ୍ଦନପୁର ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲା, ଘଟଗାଁ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲଙ୍କ ସମେତ ଦୁଇ ଥାନାର ପୁଲିସ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛନ୍ତି।  ଏ ସମ୍ପର୍କରେ ଏସ୍‌ଡିପିଓ ବିଜୟ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରାଯାଉଛି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକରେ ପୁଲିସ ପକ୍ଷରୁ ଗାଡ଼ିମୋଟର ଯାଞ୍ଚ କରାଯାଉଛି।