ଭୁବନେଶ୍ବର : ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ମାସକୁ ୫କେଜି ଲେଖାଏଁ ଚାଉଳ ମାଗଣା ଦେବାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ପ୍ରତି ହିତାଧିକାରୀଙ୍କୁ ତାଙ୍କ କୋଟାର ଚାଉଳ ବାଦ୍ ଅଧିକ ୫କେଜି ଚାଉଳ ମିଳିବ। ରାଜ୍ୟରେ କୋଭିଡ-୧୯ ସ୍ଥିତି ଜାରି ରହିଥିବାରୁ ମାଗଣା ଚାଉଳ ଯୋଗାଣ ଯୋଜନା ବୃଦ୍ଧି କରାଯାଇଛି ବୋଲି କୁହାଯାଇଛି। ଏହାଦ୍ବାରା ୨,୮୮,୫୨୮ଟି ପରିବାରର ୯,୧୫,୫୩୨ଜଣ ସଦସ୍ୟ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ମାସକୁ ୪,୫୭୮ଟନ୍ ହିସାବରେ ମୋଟ୍ ୧୮୩୧୦.୬୪୦ ଟନ୍ ଚାଉଳ ଯୋଗାଇଦେବେ। ଏବାବଦକୁ ରାଜ୍ୟ ସରକାର ୬୮.୧୩କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ ଯେ ନିକଟରେ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ମାଗଣାରେ ୫କେଜି ଲେଖାଏଁ ଚାଉଳ ଯୋଗାଇବାକୁ ଘୋଷଣା କରିଥିଲେ। ଏହାପରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି।