ଚିଲିଗୁଡ଼ା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦାସୀଗାଁ ପଞ୍ଚାୟତ ବାନ୍ଧନପଲା ଗ୍ରାମର ୫ ଜଣ ଶ୍ରମିକ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇ ସେଠାରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକ ସେମାନଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।

Advertisment

ସୂଚନାମତେ, ଦାସୀଗାଁର ରାଧାକାନ୍ତ ବାଗ (୨୩), ରଞ୍ଜନ ମାଝୀ (୩୮), ଦିବର ପରାଭୋଇ (୩୨), ହେମନ୍ତ ମାଝୀ (୪୩) ଏବଂ ଯୁବରାଜ ମାଝୀ (୧୯) ପରିବାର ପ୍ରତିପୋଷଣ ପାଇଁ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଳେ। ସେଠାରେ ଏକ ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ। ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମର ଆଲୋକ ଖାନ ଅଧିକ ଅର୍ଥ ରୋଜଗାର କରିବାକୁର ମିଥ୍ୟା ପ୍ରତିଶ୍ରୁତି ଦେଇ ସେମାନଙ୍କୁ ତେଲେଙ୍ଗାନାକୁ କାମ କରିବାକୁ ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସେମାନେ ଦୀର୍ଘ ଦିନ ଧରି କାମ କଲା ପରେ ମଧ୍ୟ କୌଣସି ପାଉଣା ଦିଆଯାଇ ନାହିଁ। ଏପରିକି ଖାଇବାକୁ ମଧ୍ୟ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ସେଠାରୁ ଚାଲି ଆସିବା ପାଇଁ ପରିବାର ସହ ଯୋଗାଯୋଗ କରିବାରୁ ମୋବାଇଲ ଛଡ଼ାଇ ନେଇଛନ୍ତି। ଏପରିକି ଇଟା ଭାଟିରେ ଜୋର ଜବରଦସ୍ତ କାମ କରିବାକୁ ବାଧ୍ୟ କରାଯାଉଥିବା ବେଳେ ନିର୍ଯାତନା ଦିଆଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଦୀର୍ଘ ଦିନ ହେଲା ସେମାନଙ୍କ ସହ ଯୋଗାଯୋଗ ହୋଇ ନଥିବାରୁ ପରିବାର ଲୋକ ଚିନ୍ତାରେ ପଡ଼ିଛନ୍ତି। ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁରିଆ ଏବଂ ସମାଜସେବୀ ସେନାପତି ନାଏକଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କ ସହାୟତାରେ ପରିବାର ଲୋକ ଧର୍ମଗଡ଼ ଉପଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ସଂପୃକ୍ତ ୫ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।