ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ୫ ଜଣ ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ନିର୍ଯାତନା ଦିଆଯାଉଥିବା କହିଛନ୍ତି। ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।
ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଘାଟମାଲ ପଞ୍ଚାୟତ ତାଲାକୋଟ ଗ୍ରାମର ଲଛମନୀ ମାଝୀ, ଝଲାସାଏ ମାଝୀ, କମଲ ମାଝୀ, ରମେଶ ଚିନ୍ଦା, ଲକ୍ଷ୍ମୀ ମାଝୀ କିଛି ମାସ ତଳେ ଖଡ଼ିଆଳର ଜଣେ ଦଲାଲଙ୍କ କହିବା ଅନୁସାରେ ଆନ୍ଧ୍ରପ୍ରଦେଶର କର୍ଣ୍ଣେଲ ଜିଲ୍ଲା ଏଲେନ୍ଦାକୁଣ୍ତାରେ ଥିବା ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ସେଠାରେ କିଛି ଦିନ କାମ କରିବା ପରେ ଇଟାଭାଟି ମାଲିକ ଚନ୍ଦ୍ର ଶେଖର ମାଡ୍ପିଟ୍ କରିବା ସହ ଦିନରାତି କାମ କରିବାକୁ କହୁଥିବା ଅଭିଯୋଗ କରିଛନ୍ତି। ନିର୍ଯାତନା ଅସହ୍ୟ ହେବାରୁ ପୂର୍ବରୁ ୨ ଜଣ ଶ୍ରମିକ ସେଠାରୁ ଲୁଚି ପଳାଇ ଆସିଥିବା ବେଳେ ବର୍ତ୍ତମାନ ଉକ୍ତ ୫ ଜଣ ଶ୍ରମିକ ବନ୍ଧକ ରହିଥିବା ଜଣାପଡ଼ିଛି। କୌଣସିମତେ ସେମାନେ ଏକ ଭିଡିଓ କରି ତୁରନ୍ତ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ଏହି ଘଟଣା ସମ୍ପର୍କରେ ପରିବାର ଲୋକ ଜାଣିବା ପରେ ସେମାନଙ୍କୁ ଉଦ୍ଧାର କରିବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।