ପ୍ରବାସୀ ଫେରନ୍ତାଙ୍କ ପାଇଁ ୫ ଲକ୍ଷ ଶଯ୍ୟା ଓ ୧୨ ହଜାର ମେଡିକାଲ ଶିବିର ବ୍ୟବସ୍ଥା କରାଯାଇଛି : ଦେଓରଂଜନ କୁମାର ସିଂହ

ଭୁବନେଶ୍ୱର: ପ୍ରବାସୀ ଫେରନ୍ତାଙ୍କ ପାଇଁ ରାଜ୍ୟର ୬୭୯୮ଟି ପଂଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟମ୍ପ ପ୍ରତିଷ୍ଠା କରାଯାଇଛି । ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି, ଯେଉଁ ପ୍ରବାସୀ ଓଡ଼ିଆ ଫେରିଛନ୍ତି ସେମାନେ ନାମ ପଂଜୀକରଣ କରିଛନ୍ତି । ସେହିଭଳି ଯେଉଁମାନେ ଆଗାମୀ ଦିନରେ ଓଡ଼ିଶା ଫେରିବେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ପଂଜୀକରଣ କରିବାକୁ ହେବ । ଯେଉଁମାନେ ଓଡ଼ିଶା ଫେରିବେ, ସେମାନେ କିଛି ସଂକ୍ରମିତ ରାଜ୍ୟରୁ ମଧ୍ୟ ଫେରିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସବୁ ପଂଚାୟତଗୁଡ଼ିକରେ ଆବଶ୍ୟକ ବ୍ୟବସ୍ଥା କରିଛନ୍ତି ।

ଶ୍ରୀ ସିଂହ କହିଛନ୍ତି, ଓଡ଼ିଶା ଭଳି ଅନ୍ୟ ରାଜ୍ୟରେ ଏଭଳି ବ୍ୟାପକ ବ୍ୟବସ୍ଥା ହୋଇ ନ ଥିବ ବୋଲି ମୋର ଅନୁମାନ ହେଉଛି । କାରଣ ରାଜ୍ୟର ପଂଚାୟତଗୁଡ଼ିକରେ ଖାଇବା, ଶୋଇବା, ରହିବା ଆଦି ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ପ୍ରବାସୀଙ୍କ ପାଇଁ ହୋଟେଲ ଭଳି ବ୍ୟବସ୍ଥା କରାଯାଇପାରିଛି । ସରପଂଚଙ୍କ ନେତୃତ୍ୱରେ ପଂଚାୟତରେ ୫ ଜଣିଆ କମିଟି ମଧ୍ୟ ଗଠନ କରାଯାଇଛି । ସେହିପରି ବ୍ଲକ ସ୍ତରରେ ବିଡିଓଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ।

ଯେଉଁ ବ୍ୟକ୍ତିମାନେ ଗ୍ରାମାଞ୍ଚଳକୁ ଆସିବେ, ସେମାନଙ୍କର ଟେଷ୍ଟିଂ କରାଯିବ । ସେଠାରେ ପଂଚାୟତର ରେଜିଷ୍ଟରରେ ସେମାନଙ୍କର ନାମ ଆଉ ଥରେ ପଂଜୀକରଣ କରାଯିବ । ଜଣେ ବ୍ୟକ୍ତି ନିଜର ବ୍ୟବହାର ଲାଗି ଜିନିଷ (ବ୍ରଶ, ଟୁଥପେଷ୍ଟ, ସାବୁନ, ତେଲ)କୁ କେବଳ ବ୍ୟବହାର କରିବେ । ପରିବେଶ ସଫାସୁତୁରା କରାଯାଉଛି । ଶୌଚାଳୟ, ପାଣି ଟାଙ୍କିକୁ ବିଭିନ୍ନ ସମୟରେ ପରିଷ୍କାର ରଖାଯାଉଛି । ସାମାଜିକ ଦୂରତା ପାଇଁ ଆମେ ୨ ମିଟର ବ୍ୟବଧାନରେ ଶଯ୍ୟାଗୁଡ଼ିକ ପଡ଼ିଛି । ଟିଏମସି (ଅସ୍ଥାୟୀ ମେଡିକାଲ ଶିବିର) ସୁଚାରୁ ରୂପେ ପରିଚାଳିତ ହେଉଛି । ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରବାସୀମାନେ ୧୪ ଦିନ ରହିବା ପରେ ନିଜ ଘରକୁ ଯିବେ ବୋଲି ଶ୍ରୀ ସିଂହ କହିଛନ୍ତି ।

ସମ୍ବନ୍ଧିତ ଖବର