ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ଥିବା କେନ୍ଦୁଝର ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ମହିଳା ଆକାଉଣ୍ଟାଣ୍ଟଙ୍କୁ ଧକ୍କା ମାରି ୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ଆଜି ତୁରୁମୁଙ୍ଗା ପୁଲିସ ଯାଜପୁରରୁ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଯାଜପୁର ଜିଲ୍ଲା ଯଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗ୍ରାମର ଭୋଳା ପ୍ରଧାନ (୨୦)। ପୁଲିସ ତାଠାରୁ ଲୁଟ୍ ଟଙ୍କା ଜବତ କରିଛି। ସେହିପରି ଲୁଟ୍ରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ଦୀପୁ ମଣ୍ଡଳ ଫେରାର ହୋଇଯାଇଛିି। ସେ କୋଲକାତାରେ ବୁଲୁଥିବା ପୁଲିସ ସନ୍ଦେହ କରୁଛି।
ଗତ ୨୪ ତାରିଖ ପୂର୍ବାହ୍ନରେ ତୁରୁମୁଙ୍ଗା ବଜାରରେ ଥିବା କେନ୍ଦୁଝର ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ (କେସିସି)ର ମହିଳା ଆକାଉଣ୍ଟାଣ୍ଟ ଅନ୍ନପୂର୍ଣ୍ଣା ମିଶ୍ର ଓ ଗନ୍ମ୍ୟାନ୍ ଯଦୁମଣି ମହାନ୍ତ ପାଖରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ଉଭୟ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଦୀପୁ ଓ ଭୋଳା ଏକ କଳା ପଲସର ବାଇକ୍ରେ ଆସି ଅନ୍ନପୂର୍ଣ୍ଣାଙ୍କୁ ଧକ୍କା ମାରି ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଚମ୍ପଟ ମାରିଥିଲେ। ଏନେଇ ତୁରୁମୁଙ୍ଗା ଥାନାରେ କେସିସି ବ୍ୟାଙ୍କର ପରିଚାଳିକା ଲକ୍ଷ୍ମୀପ୍ରିୟା ସାହୁ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୧୧୪/୨୦ରେ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଥିଲା। ଦୁର୍ବୃତ୍ତମାନେ ଲୁଟ୍ କରିବା ପରେ ତେନ୍ତୁଳିଖୁଣ୍ଟି ନାଳ ନିକଟରେ ବାଇକ୍ ରଖି ଚାଲି ଚାଲି କେନ୍ଦୁଝର ପଳାଇଥିଲେ। ସେଠାରୁ ବସ୍ ଯୋଗେ ଯାଜପୁର ଯାଇଥିଲେ।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ ବାଇକ୍ ଜବତ କରିଥିଲା। ଜବତ ବାଇକ୍ଟି ଭୋଳାର ବୋଲି ଜଣାପଡ଼ିଥିଲା। ତୁରୁମୁଙ୍ଗା ପୁଲିସ ଏକ ଟିମ୍ ଯାଜପୁର ଆସି ଭୋଳାକୁ ଖୋଜାଖୋଜି କରିଥିଲା। ଦଶମାଣିଆ ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ତାକୁ ଗିରଫ କରିବା ସହ ତାଠାରୁ ଲୁଟ୍ ଟଙ୍କା ଜବତ କରିଛି। ଆଜି ତାକୁ କୋର୍ଟଚାଲାଣ କରାଯାଇଛି। ସେହିପରି ଅନ୍ୟତମ ଅଭିଯୁକ୍ତ ଦୀପକୁ ଗିରଫ କରିବା ପାଇଁ ପୁଲିସ ତନାଘନା ଜାରି ରଖିଥିବା ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି କହିଛନ୍ତି।