ଭୁବନେଶ୍ବର : ମହାନଦୀ ଓ ଏହାର ଶାଖା ନଦୀରେ ପାଣି କମିଥିଲେ ବି ଗାଁ ଗଣ୍ଡାରୁ ଦୁର୍ଦ୍ଦଶା କମୁନି। ଏବେବି ଉପକୂଳ ଓଡ଼ିଶାର ପୁରୀ, କଟକ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାର ବହୁ ଗାଁରେ ପାଣି ଚାଲିଛି। ଠିକ୍ ଏତିକିବେଳେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ସୁବର୍ଣ୍ଣରେଖା ଅବବାହିକା ଏବଂ ବାଲେଶ୍ବର ଜିଲ୍ଲାରେ ବନ୍ୟା ଆସିଛି। ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆସୁଥିବାରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରସ୍ତୁତି କରୁଛନ୍ତି।
ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ଏସ୍ଆର୍ସି ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗାଲୁଡିହ ବ୍ୟାରେଜରୁ ୬ଲକ୍ଷ କ୍ୟୁସେକ୍ ପାଣି ଆସୁଛି। ଏହା ଫଳରେ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ଆସିଛି। ସେହିପରି ଶିମିଳିପାଳରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିଛି। ବୈତରଣୀ ନଦୀରେ ଆଖୁଆପଦା ଠାରେ ଜଳପତ୍ତନ ୧୮.୯୯ମିଟର ଥିବାବେଳେ ଏହା କ୍ରମଶଃ ବୃଦ୍ଧି ପାଉଛି। ସୁବର୍ଣ୍ଣରେଖା ଜାମଶୋଳାଘାଟ ଠାରେ ୫୩.୩୪ମିଟର ଉଚ୍ଚରେ ରହିଛି। ଏହା ବି କ୍ରମଶଃ ବୃଦ୍ଧି ପାଉଛି। ତେଣୁ ଏହି ନଦୀଗୁଡ଼ିକରେ ଆସୁଥିବା ବନ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ସେହିପରି ହୀରାକୁଦର ଜଳପତ୍ତନ ୬୨୧.୨୬ଫୁଟ ରହିଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୮ହଜାର ୪୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୨ହଜାର ୧୭୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିଠାରେ ୮ଲକ୍ଷ ୬ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଏବେ ମୁଣ୍ଡଳି ସମେତ ମହାନଦୀର ଜଳସ୍ତର କମୁଛି।
ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ୧୩ଟି ଜିଲ୍ଲାର ୭୩ଟି ବ୍ଲକ ୬୦୯ଟି ଗ୍ରାମପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ ୨୨୩୮ଟି ଗ୍ରାମ ପ୍ରଭାବିତ ହୋଇଛି। ୭୬୮ଟି ଗାଁର ୫ଲକ୍ଷ ୪୫ହଜାର ଲୋକ ଜଳବନ୍ଦି ଅବସ୍ଥାରେ ଥିବାବେଳେ ପ୍ରାୟ ୭ଲକ୍ଷ ୬୩ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହିସବୁ ଅଞ୍ଚଳରେ ୩୨୪ଟି ରିଲିଫ୍ କେନ୍ଦ୍ରରେ ୧ଲକ୍ଷ ୨୪ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି।
ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରେ ୫ଲକ୍ଷ ୬୧ହଜାର ୪୧୮ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୧ହଜାର ୫୬୦ ଲୋକଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୮୫ଟି ମେଡିକାଲ ରିଲିଫ କେନ୍ଦ୍ର ଖୋଲା ଯାଇଥିବାବେଳେ ୧୧୫ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଚିକିତ୍ସା ଟିମ୍ ମୁତୟନ ହୋଇଛି। ୪୨ହଜାର ୨୭୪ଟି ଓଆର୍ଏସ୍ ପ୍ୟାକେଟ୍, ୧ଲକ୍ଷ ୭୭ହଜାର ୨୫୩ଟି ହାଲୋଜିନ୍ ବଟିକା ବଣ୍ଟାଯାଇଛି। ଏହି ସମୟ ମଧ୍ୟରେ ୭୩୦୦ଟି ସାଧାରଣ ରୋଗର ଚିକିତ୍ସା କରାଯାଇଥିବାବେଳେ ୧୨ଟି ସାପ କାମୁଡ଼ା ଘଟଣାର ଚିକିତ୍ସା କରାଯାଇଛି।
ଗୋସମ୍ପଦର ସୁରକ୍ଷା ପାଇଁ ବନ୍ୟାଞ୍ଚଳରେ ୧୯୩ଟି ଭେଟେରିନାରି ଟିମ୍ ନିୟୋଜିତ ହୋଇଛି। ୪୦୭ଟି କ୍ୟାମ୍ପ ଆୟୋଜିତ ହୋଇଥିବାବେଳେ ୧୮ହଜାରରୁ ଉର୍ଦ୍ଧ୍ବ ପଶୁଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ୧୦ଟି ଜିଲ୍ଲାକୁ ମୋଟ୍ ୮୪୬.୦୬ ମେଟ୍ରିକ ଟନ୍ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟାଞ୍ଚଳରେ ୨ଲକ୍ଷ ୯୩ହଜାର ୨୦୦ଟି ପାଣି ବୋତଲ, ୧୨ଲକ୍ଷ ୨୯ହଜାର ପାଣି ପାଉଚ୍ ବଣ୍ଟା ଯାଇଛି। ୨୦୩ଟି ଭ୍ରାମ୍ୟମାଣ ଜଳଯୋଗାଣ ଟ୍ୟାଙ୍କର ନିୟୋଜିତ କରାଯାଇଛି। ୧୪ଟି ଜିଲ୍ଲାରେ ୧୬ଟି ଏନ୍ଡିଆରଏଫ୍, ୧୭ଟି ଓଡ୍ରାଫ୍ ଓ ୫୫ଟି ଅତିରିକ୍ତ ଅଗ୍ନିଶମ ସେବା ଟିମ୍ ମୁତୟନ କରାଯାଇଛି ବୋଲି ଏସ୍ଆର୍ସି କହିଛନ୍ତି।