ପୁରୀ: ଇଂରାଜୀ ନବବର୍ଷ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ପୁରୀରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ନୀତି ବିଭ୍ରାଟ ନେଇ ରାଜ୍ୟ ଗୁଇନ୍ଦା ବିଭାଗ ଯେଉଁ ସନ୍ଦେହ କରିଥିଲା ତାହା ଅମୂଳକ ପ୍ରମାଣିତ ହୋଇଛି। ଆଜି ମହାପ୍ରଭୁଙ୍କ ସମସ୍ତ ନୀତି ଶୃଙ୍ଖଳିତ ଓ ନିର୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା। ସୋମବାର ରାତି ୧୦ଟାରେ ପହୁଡ ନୀତି ହେବାର ଦୁଇ ଘଣ୍ଟା ପରେ ରାତି ୧୨ଟା ୨୫ରେ ଦ୍ବାରଫିଟା ନୀତି ପାଇଁ ଭିତରଚ୍ଛ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସୋମବାର ରାତି ୧୨ଟା ୪୫ରେ ଦ୍ବାରଫିଟା ହୋଇଥିଲା। ରାତି ଗୋଟାଏ ୩୫ ସୁଦ୍ଧା ମଙ୍ଗଳ ଆଳତି, ରାତି ୩ଟାରୁ ଅବକାଶ ନୀତି ସଂପନ୍ନ ହୋଇ ଭୋର ୫ଟା ୫୫ ସୁଦ୍ଧା ପହଲି ଭୋଗ ନୀତି ସଂପନ୍ନ ହୋଇଥିଲା। ମଙ୍ଗଳବାର ପୂର୍ବାହ୍ନ ୧୦ଟା ସୁଦ୍ଧା ପ୍ରଥମ ଭୋଗ ମଣ୍ଡପ ଓ ଅପରାହ୍ନ ୨ଟା ୧୫ ସୁଦ୍ଧା ଦ୍ବିତୀୟ ଭୋଗ ମଣ୍ଡପ ଉଠିଥିଲା। ସନ୍ଧ୍ୟା ୬ଟା ୧୦ ସୁଦ୍ଧା ସନ୍ଧ୍ୟା ଆଳତି ଶେଷ ହୋଇଥିଲା। ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳିତ କରିବା ଲାଗି ଆଜି ସେବକମାନେ ସବୁପ୍ରକାର ସହଯୋଗ କରିଥିଲେ। ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ। ଫଳସ୍ବରୂପ ନିର୍ଘଣ୍ଟ ଅନୁସାରେ ସବୁ ନୀତି ସୁଚାରୁରୂପେ ସଂପନ୍ନ ହୋଇଥିଲା। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଲମ୍ବାଧାଡିରେ ଭକ୍ତମାନେ ମହାପ୍ରଭୁଙ୍କୁ ଭିତରକାଠ ନିକଟରୁ ଦର୍ଶନ କରିଥିଲେ। ସେପଟେ ଟ୍ରାଫିକ ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା। ସୁରକ୍ଷା ପାଇଁ ପୁରୀରେ ୫୦ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଏସ୍ପି ଡାକ୍ତର ସାର୍ଥକ ଷଡଙ୍ଗୀ ଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିଥିଲେ। ଭିଡ ନିୟନ୍ତ୍ରଣ ପାଇଁ ମେଡିକାଲ ଛକରୁ ଚାରିଚକିଆ ଯାନଗୁଡିକୁ ଛଡାଯାଇନଥିଲା। ପ୍ରବଳ ଜନ ସମାଗମ ଯୋଗୁ ମାର୍କେଟ ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଲମ୍ବାଧାଡି ଲାଗିଥିଲା। ଆଜି ଭୋଗମଣ୍ଡପ ନିର୍ଧାରିତ ସମୟରେ ଉଠିଥିବାରୁ ଭକ୍ତମାନେ ଅବଢା ମଧ୍ୟ ପାଇପାରିଥିଲେ।
ନୂଆବର୍ଷରେ ପୁରୀରେ ୫ ଲକ୍ଷ ଶ୍ରଦ୍ଧାଳୁ
ନିର୍ଧାରିତ ସମୟ ପୂର୍ବରୁ ମହାପ୍ରଭୁଙ୍କ ନୀତି ଶେଷ