ବରଗଡ଼ : ରବି ଭଳି ଖରିଫ୍‌ ଚାଷରେ ବି ବରଗଡ଼ ଜିଲ୍ଲାର ଚାଷୀଙ୍କ ୫ଲକ୍ଷ କ୍ବିଣ୍ଟାଲରୁ ଅଧିକ ଧାନ ବଳିଯିବା ଆଶଂକା ସୃଷ୍ଟି ହୋଇଛି। କେବଳ ପଦ୍ମପୁର ଉପଖଣ୍ଡରେ ହିଁ ୪ଲକ୍ଷ କ୍ବିଣ୍ଟାଲରୁ ଅଧିକ ଧାନ ଅବିକ୍ରି ହୋଇ ରହିବ ବୋଲି କହାଯାଉଛି। ପରିସଂଖ୍ୟାନ ବି ଏଭଳି ସନ୍ଦେହକୁ ବଳ ଦେଲାଣି।

Advertisment

ପଦ୍ମପୁର ଉପଖଣ୍ଡରେ ଗତ ୨୦୨୦-୨୧ରେ ୨୬ ଲକ୍ଷ କ୍ବିଣ୍ଟାଲ ଧାନ ବିକ୍ରି ହୋଇଥିଲା। ୨୦୨୧-୨୨ରେ ମରୁଡ଼ି ଯୋଗୁଁ ଏଠାରେ ୧୬ ଲକ୍ଷ କ୍ବିଣ୍ଟାଲ ଧାନ କିଣା ହୋଇପାରିଲା। ସେହିବର୍ଷ ୨୫ଟି ମଣ୍ଡିରୁ କୌଣସି ପ୍ରକାରେ ଧାନ ଉଠିଲା ନାହିଁ। ଯଦି ୫ବର୍ଷର ହାରାହାରି ପରିସଂଖ୍ୟାନ ନିଆଯାଏ ତେବେ ଖରିଫ୍‌ରେ ପଦ୍ମପୁର ଉପଖଣ୍ଡରେ ୩୦ଲକ୍ଷ କ୍ବିଣ୍ଟାଲ ପାଖାପାଖି ଧାନ ରହୁଛି। ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୫୫ଲକ୍ଷ, ଦ୍ବିତୀୟରେ ୬ ଏବଂ ତୃତୀୟରେ ୭ଲକ୍ଷ  କ୍ବିଣ୍ଟାଲ ପାଇଁ ଟାର୍ଗେଟ୍‌ ଆସିଥିଲା। ଅର୍ଥାତ ମୋଟ୍‌ ଟାର୍ଗେଟ୍‌ ୬୮ଲକ୍ଷ କ୍ବିଣ୍ଟାଲ ଧାନ ରହିଛି। ଯଦି ଚାଷୀମାନେ ଜୋର୍‌ଦାର୍‌ ଆନ୍ଦୋଳନ କରନ୍ତି, ତେବେ ନିକଟ ଭବିଷ୍ୟତରେ ୨/୩ ଲକ୍ଷ କ୍ବିଣ୍ଟାଲ ଧାନ ଟାର୍ଗେଟ ବଢ଼ିପାରେ। କିନ୍ତୁ ଟାର୍ଗେଟ୍‌ ବଢ଼ିଲେ ବି ପଦ୍ମପୁର ଉପଖଣ୍ଡରୁ ୫ଲକ୍ଷ କ୍ବିଣ୍ଟାଲ ଧାନ ପଡ଼ି ରହିବ।

ଜିଲ୍ଲାର ପୁରୁଣା ରେକର୍ଡ ବି ଚାଷୀଙ୍କ ଏହି ଆକଳନକୁ ସତ ପ୍ରମାଣିତ କରିବାକୁ ଯାଉଛି। ୨୦୨୦-୨୧ରେ ଜିଲ୍ଲାକୁ ଖରିଫ୍‌ରେ ୭୪.୧୬ ଲକ୍ଷ କ୍ବିଣ୍ଟାଲ ଧାନ କିଣା ଟାର୍ଗେଟ୍‌ ମିଳିଥିଲା। କିନ୍ତୁ କିଣା ହେଲା ୭୨ଲକ୍ଷ କ୍ବିଣ୍ଟାଲ। ୧୨ହଜାରରୁ ଅଧିକ ଚାଷୀ ସେହି ସମୟ‌ରେ ଧାନ ବିକ୍ରି କରି ପାରିନଥିଲେ। ସମାନ ସ୍ଥିତି ଏଥର ବି ଉପୁଜିବାକୁ ଯାଉଛି ବୋଲି ଚାଷୀମାନେ ଆକଳନ କରୁଛନ୍ତି। ଗତବର୍ଷ ନଭେମ୍ବର ମାସ ମଧ୍ୟ ଭାଗ ସୁଦ୍ଧା ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବିଲରୁ ୮୦ ପ୍ରତିଶତ ଧାନ କଟା ସାରିଥିଲା। କିନ୍ତୁ ମଣ୍ଡିରେ ଧାନ ନ ଥିଲା। ପଦ୍ମପୁର ଉପଖଣ୍ଡର ୩୦ ପ୍ରତିଶତ ଧାନ ଛତିଶଗଡ଼ ପହଂଚି ସାରିଲାଣି। ପଦ୍ମପୁର ଉପଖଣ୍ଡରେ ନଭେମ୍ବର ପହିଲାରୁ ଖରିଫ୍‌ ଧାନ ଅମଳ ହୋଇଥାଏ। ତେଣୁ ସାଧାରଣତଃ ନଭେମ୍ବର ପ୍ରଥମାର୍ଦ୍ଧରୁ ଜିଲ୍ଲାରେ ଖରିଫ୍‌ ଧାନକିଣା ଆରମ୍ଭ ହୋଇଥାଏ। ହେଲେ ଏଥର ବିଳମ୍ବରେ ଧାନ କିଣା ଚାଷୀଙ୍କୁ ମୂଳରୁ ହିଁ କ୍ଷତି ପହଞ୍ଚାଇଛି।

ନଭେମ୍ବର ମାସ ପହିଲାରୁ ପଦ୍ମପୁର ଉପଖଣ୍ଡ‌ରେ ୩୦% ଖରିଫ୍‌ ଧାନ ଅମଳ ହୋଇସାରିଥିଲା। କିନ୍ତୁ ମଣ୍ଡି ଖୋଲିଲା ୨୧ ତାରିଖ। ତେଣୁ ଚାଷୀ ବାଧ୍ୟ ହୋଇ ଧାନ କାଟି ଘରକୁ ଆଣିଥିଲା। ଧାନ ନଷ୍ଟ ହେବ ଆଶଂକା କରି ଅଧିକାଂଶ ଚାଷୀ ମିଲର୍ସଙ୍କୁ ସ୍ବଳ୍ପ ଦ‌ରରେ ଧାନ ଟେକି ଦେଇଛନ୍ତି। ଉପଖଣ୍ଡର ପାଇକମାଳ ବ୍ଲକ୍‌ରେ ୨୬ହଜାର ହେକ୍ଟର, ଝାରବନ୍ଧରେ ୧୦ହଜାର ଏବଂ ପଦ୍ମପୁର ବ୍ଲକ୍‌ରେ ୨୦ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ହୋଇଥିଲା। ଏତିକି ପରିମାଣର ଜମିରୁ ପାଖାପାଖି ୩୫ଲକ୍ଷ କ୍ବିଣ୍ଟାଲ ଧାନ ଉତ୍ପାଦନ ଅତିକମ୍‌ରେ ହୋଇଛି। ଏଥର ଧାନ ବମ୍ପର ଉତ୍ପାଦନ ସତ୍ତ୍ବେ କମ୍‌ ଧାନ ସଂଗହ ହେବ। ତେଣୁ ଆକଳନ ଅନୁସାରେ ୫ଲକ୍ଷ କ୍ବିଣ୍ଟାଲ ଧାନ ରହିଯିବା ନିଶ୍ଚିତ ବୋଲି ଚାଷୀମାନେ କଳନା କରିଛନ୍ତି।