ବିଂଝାରପୁର : ଦୁଇ ବର୍ଷ ହେଲା ନିଖୋଜ ଥିବା ପିହୁ ସମ୍ପର୍କରେ ସୂଚନା ଦେଲେ ୫ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ। ଯାଜପୁର ଜିଲ୍ଲା ବିଂଝାରପୁର ପୁଲିସ ପକ୍ଷରୁ ଏନେଇ ଘୋଷଣା କରାଯିବା ସହିତ ବିଭିନ୍ନ ସ୍ଥାନରେ ପୋଷ୍ଟର୍ ଲଗାଯାଇଛି। ଦୀର୍ଘଦିନ ଧରି ଶିଥିଳି ତଦନ୍ତକୁ ନେଇ ସମାଲୋଚନାର ଶରବ୍ୟ ହୋଇ ଆସୁଥିବା ବିଂଝାରପୁର ପୁଲିସ ଏକପ୍ରକାର ହାତ ଟେକି ଦେଇଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି।
ଗାଁ ଦାଣ୍ଡରେ ଖେଳୁଥିବାବେଳେ ୨୦୨୦ ଅଗଷ୍ଟ ୯ ତାରିଖ ପୂର୍ବାହ୍ନଠାରୁ ନିଖୋଜ ହୋଇଯାଇଛି ଶୁଭଲକ୍ଷ୍ମୀ ନାୟକ ଓରଫ ପିହୁ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ତଥା ବରୀ ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ଲକ୍ଷ୍ମଣ ନାୟକ ଓ ମୋନାଲିସା ନାୟକଙ୍କ ୨ବର୍ଷର ଝିଅ ହେଉଛି ପିହୁ। କେହି ଦୁର୍ବୃତ୍ତ ପିହୁକୁ ଉଠାଇଥିବା ନେଇ ମା’ ମୋନାଲିସା ଥାନାରେ ଅଭିଯୋଗ କରିଥିଲେ। ବିଂଝାରପୁର ପୁଲିସ କେସ ନମ୍ବର ୨୨୮/୨୦ରେ ଏକ ଅପହରଣ ମାମଲା ରୁଜୁ କରିଥିଲା। ମାତ୍ର, ସେବେଠାରୁ ଚୁପ୍ ବସିଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଫଳରେ, ଘଟଣାକୁ ନେଇ ବିଭିନ୍ନ ସଂଗଠନ ପୁଲିସ ଉପରେ ଚାପ ସୃଷ୍ଟି କରିବା ସହିତ ରାଜ୍ୟ ସରକାରଙ୍କୁ ଘେରିଥିଲେ। ଝିଅକୁ ପାଇବା ପାଇଁ ମୋନାଲିସା ଏସ୍ପିଙ୍କଠାରୁ ଜିଲ୍ଲାପାଳ, ରାଜ୍ୟ ପୁଲିସ ମୁଖ୍ୟାଳୟ, ରାଜ୍ୟ ମହିଳା କମିସନଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେବଳ ଆଶ୍ବାସନା ମିଳିଥିଲା। ଘଟଣାକୁ ଇତିମଧ୍ୟରେ ୨ ବର୍ଷ ବିତିଥିଲେ ମଧ୍ୟ ଅଦ୍ୟାବଧି ପିହୁର ସନ୍ଧାନ ମିଳିନାହିଁ। ଅଗଷ୍ଟ ୮ ତାରିଖ ମୋନାଲିସା ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସିବିଆଇ ତଦନ୍ତ ଦାବି କରିଥିଲେ। ସେହିପରି ଗତକାଲି ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଥିଲେ। ଶେଷରେ, ଆଜି ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ବିଂଝାରପୁର ପୁଲିସ। ବିଂଝାରପୁର ଆଇଆଇସି ରଂଜିତ ମହାନ୍ତିଙ୍କ ପକ୍ଷରୁ ଏ ସଂପର୍କରେ ଘୋଷଣା କରାଯିବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି।
ପୁରସ୍କାର ରାଶି ଘୋଷଣାକୁ ନେଇ ମୁହଁ ଖୋଲିଛନ୍ତି ମୋନାଲିସା। ସେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ପୁଲିସ ପକ୍ଷରୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏବେ ପୁରସ୍କାର ରାଶିକୁ ବଢାଇ ୫ ଲକ୍ଷ କରାଯାଇଛି। ୧୫ ଦିନ ମଧ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆନଗଲେ ରାଜ୍ୟ ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ମୋନାଲିସା କହିଛନ୍ତି।