ପଦ୍ମପୁର/ ଧଣ୍ଡାମୁଣ୍ଡା/ ଖପ୍ରାଖୋଲ: ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ବୁଧବାର ଦିନ ବଜ୍ରପାତ ଘଟି ୫ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତ ସମୟରେ ଗଛମୂଳେ ଆଶ୍ରୟ ନେଇଥିବା ୫ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଏକ ଅଘଟଣରେ ଦୁଇ ମୃତକ ହେଲେ ମା’-ପୁଅ। ପ୍ରଥମ ଘଟଣା ଘଟିଥିଲା ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ବୁଡ଼େନ ଥାନା ଖଲିଆପାଲି ପଞ୍ଚାୟତ ଦେୱାନଡିହିରେ। ଚାଷକାମ ସାରି ଫେରୁଥିବା ବେଳେ ବର୍ଷା ହେବାରୁ ୫ଜଣ ବ୍ୟକ୍ତି ଗଛମୂଳେ ଆଶ୍ରୟ ନେଇଥିଲେ। ସେହିସମୟରେ ହଠାତ୍ ବଜ୍ରପାତ ହୋଇଥିଲା ଏବଂ ସମସ୍ତେ ଅଚେତ ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ସଙ୍ଗେସଙ୍ଗେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ, ଦେୱାନଡିହିର ଶୁକଦେବ ବନଛୋର (୫୮), ନିରୋଜ କୁମ୍ଭାର (୨୫), ଧନୁର୍ଯ୍ୟ ନାୟକ (୪୫)। ଆହତମାନେ ହେଲେ, ମନିରାମ ଲୁହାର ଓ ବାଜେନମୁଣ୍ଡା ଗ୍ରାମର ବୃନ୍ଦାବନ ସାହୁ। ମନିରାମଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସେହିପରି, ଅନ୍ୟ ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମହରାପଦର ପଞ୍ଚାୟତ ଚାଉଳବାଞ୍ଜି ଗାଁରେ। ବଜ୍ରପାତରେ ମା’-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦ୍ବୟ ହେଲେ, ଗାଁର ସୂର୍ଯ୍ୟକାନ୍ତି ଖର୍ସେଲ (୪୦) ଓ ତାଙ୍କ ପୁଅ ଦୀପକ ଖର୍ସେଲ (୧୮)। ଗୁରୁତର ଜଣକ ମୃତ ଦୀପକଙ୍କ କାକା ପୁରନ୍ଦର ଖର୍ସେଲ (୩୮)। ଅପରାହ୍ନ ୪ଟାରେ ଘଡ଼ଘଡ଼ି ସହ ବର୍ଷା ହେବାରୁ ସେମାନେ ଚାଷଜମିରେ ଥିବା ଏକ ଗଛତଳେ ଆଶ୍ରୟ ନେଇଥିବା ସମୟରେ ବଜ୍ରପାତରେ ସୂର୍ଯ୍ୟକାନ୍ତି ଓ ପୁଅ ଦୀପକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।