କଟକ/ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଜଗନ୍ନାଥ ସୂତାକଳ ପରିସରରୁ ଉଦ୍ଧାର ହୋଇଛି ୫ଟି ମଣିଷ ମୁଣ୍ଡର ଖପୁରି। ୧୨ ବର୍ଷ ହେଲା ବନ୍ଦ ପଡ଼ିଥିବା ଏହି ସୂତାକଳ ପରିସରରୁ ଏଭଳି ଏକାଧିକ ଖପୁରି ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବଳି ଏବଂ ତନ୍ତ୍ର ସାଧନା ପାଇଁ ହୁଏତ ଏଠି ଏଭଳି କିଛି କାଣ୍ଡ କରାଯାଉଛି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ପୁଲିସ ଖପୁରି ଗୁଡିକୁ ଜବତ କରିଛି। ଆସନ୍ତାକାଲି ଏହାକୁ ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଖପୁରି ସବୁ ୫/୬ବର୍ଷ ତଳର ପୁରୁଣା ବୋଲି ପୁଲିସ ସନ୍ଦେହ କରୁଛି।
୧୨ବର୍ଷ ହେଲା ବନ୍ଦ ପଡିଥିବା ଏହି ‘ଜଗନ୍ନାଥ ସୂତା କଳ’ ଏବେ ଜଣେ ଜଗୁଆଳି ଭରସାରେ ପଡି ରହିଛି। ସୂତା କଳ ଉପରେ ଗଡୁଛି ୭୭ କୋଟିର ଋଣଭାର। ବିଦ୍ୟୁତ୍ ବିଲ୍ ବାବଦକୁ ୧୪ କୋଟି ଟଙ୍କାର ବୋଝ। ୫୨ ଏକର ପରିମିତି ଅଞ୍ଚଳ ପାଲଟିଛି ଜଙ୍ଗଲ। ଦିନେ ଯେଉଁଠି ଶହ ଶହ କର୍ମଚାରୀଙ୍କ କୋଳାହଳ ଓ ସୂତାକଳର ଶବ୍ଦ ଶୁଣିବାକୁ ମିଳୁଥିଲା ସେଠି ଆଜି ଶୂନଶାନ୍ ନିସ୍ତବ୍ଧତା ରାଜ କରୁଛି। ପୁରୀ ଜଗନ୍ନାଥ ମନ୍ଦିରରେ ଯେଉଁଭଳି ବାଇସି ପାହାଚ ରହିଛି ସେଭଳି ବାଇସି ପାହଚ ଚଢି ପଶିବାକୁ ହୁଏ ଜଗନ୍ନାଥ ସୂତାକଳରେ। ପ୍ରଥମେ ଦେଖିବାକୁ ମିଳେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି। ହେଲେ ସେହି ସ୍ଥାନରୁ ଆଜି ପରିତ୍ୟକ୍ତ ଅଳିଆ ଗଦାରୁ ମିଳିଛି ୫ଟି ମଣିଷ ମୁଣ୍ଡ ଖପୁରି। ଖୋଲାରେ ପଡିଥିବା ଉକ୍ତ ଖପୁରିକୁ ତିଗିରିଆ ପୁଲିସ ଆଜି ଅପରାହ୍ନରେ ଜବତ କରିଛି। ଏହି ଖପୁରିଗୁଡ଼ିକୁ କୌଣସି ତାନ୍ତ୍ରିକ ବିଭିନ୍ନ ସ୍ଥାନରୁ ସଂଗ୍ରହ କରି ପୂଜାର୍ଚ୍ଚନା ପାଇଁ ଏଭଳି ନିଛାଟିଆ ସ୍ଥାନରେ ରଖିଥିବା ପୁଲିସ ସନ୍ଦେହ କରୁଛି। କିଏ ଓ କେଉଁଠୁ ଆଣି ଏଭଳି ଖପୁରି ସବୁ ସେଠାରେ ରଖିଥିଲା ନା ଯେହେତୁ ଦୀର୍ଘ ବର୍ଷ ହେବ ଉକ୍ତ ମିଲ ବନ୍ଦ ଥିଲା ତେଣୁ ସେଠାରୁ ଅନ୍ୟକିଛି ଘଟଣାକ୍ରମରେ ଏହିସବୁ ଖପୁରି ସବୁ ରଖାଯାଇଛି ସେହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଜବତ୍ ଖପୁରି ସବୁ ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯିବ ବୋଲି ଆଠଗଡ ଏସ୍ ଡିପିଓ ପ୍ରକାଶ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Tigiria-IMG-20180116-WA0012.jpg)