୫ ମେଗା ପ୍ରକଳ୍ପକୁ ମଞ୍ଜୁରି, ଆସିବ ୯୨,୭୧୩ କୋଟିର ପୁଞ୍ଜି

ଜେଏସ୍‌ପିଏଲ୍‌ ଖଟାଇବ ସର୍ବାଧିକ ୭୬ ହଜାର କୋଟି
ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ମହାମାରୀ ଓ ମାନ୍ଦାବସ୍ଥା ଭିତରେ ମଧ୍ୟ ଓଡ଼ିଶାକୁ ପୁଞ୍ଜିନିବେଶର ସୁଅ ଛୁଟିଛି। ଆଜି ଏହିକ୍ରମରେ ରାଜ୍ୟକୁ ଆସିଥିବା ୯୨,୭୧୩ କୋଟି ଟଙ୍କାର ୫ଟି ମେଗା ନିବେଶ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ୨୪ତମ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଏସବୁ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବିଶେଷକରି ଲୌହ, ଇସ୍ପାତ ଓ ସିମେଣ୍ଟ ଆଦି ଶିଳ୍ପ କ୍ଷେତ୍ରରେ ଉକ୍ତ ନିବେଶ ଆସିଛି। ଉପକୂଳ ଅଞ୍ଚଳର କଳିଙ୍ଗନଗର ଓ ପାରାଦୀପଠାରୁ ଆରମ୍ଭ କରି କେନ୍ଦ୍ରୀୟ ‌ଓଡ଼ିଶାର ଅନୁଗୁଳ ଏବଂ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଆଦିଠାରେ ଏସବୁ ପୁଞ୍ଜି ନିବେଶ ହେବ। ରାଜ୍ୟରେ ଶିଳ୍ପୀ ନୀତି ୨୦୧୫ କାର୍ଯ୍ୟକାରୀ ହେବା ଦିନଠାରୁ ଆଜିର ନିବେଶ ପ୍ରସ୍ତାବ ସବୁଠୁ ଅଧିକ।

ଆଜି ମଞ୍ଜୁରି ଲାଭ କରିଥିବା ମେଗା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ସର୍ବବୃହତ୍ ପ୍ରକଳ୍ପଟି ହେଲା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ(ଜେଏସ୍‌ପିଏଲ୍‌)ର ଅନୁଗୁଳସ୍ଥିତ ସମନ୍ବିତ ଇସ୍ପାତ କାରଖାନାର ସମ୍ପ୍ରସାରଣ। ଉକ୍ତ କାରଖାନାର ବାର୍ଷିକ ଇସ୍ପାତ ଉତ୍ପାଦନ କ୍ଷମତା ଏବେ ୬ ନିୟୁତ ଟନ୍ ଥିବାବେଳେ ଆଗାମୀ ଦିନରେ ଏହାକୁ ୧୮.୬ ନିୟୁତ ଟନକୁ ବୃଦ୍ଧି କରାଯିବ। ଏଥିସହିତ ବାର୍ଷିକ ୩୬ ନିୟୁତ ଟନ କ୍ଷମତା ବିଶିଷ୍ଟ ସ୍ଲରି ପାଇପଲାଇନ୍ ପ୍ରକଳ୍ପ, ବାର୍ଷିକ ୧୨.୫ ନିୟୁତ ଟନ ବିଶିଷ୍ଟ ସିମେଣ୍ଟ କାରଖାନା ନିର୍ମାଣ ରହିଛି।

ଏସବୁ କାର୍ଯ୍ୟ ପାଇଁ ଜେଏସ୍‌ପିଏଲ୍‌ ୭୬,୦୧୮ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୁଇଟି ପର୍ଯ୍ୟାୟରେ ୨୪,୩୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମଞ୍ଜୁରି ପାଇଥିବା ଦ୍ବିତୀୟ ମେଗା ପ୍ରକଳ୍ପଟି ହେଲା ଯାଜପୁରର କଳିଙ୍ଗନଗରଠାରେ ଥିବା ଜିନ୍ଦଲ ଷ୍ଟେନଲେସ ଲିମିଟେଡର କାରଖାନା। ଏହି କାରଖାନାର ବାର୍ଷିକ ଷ୍ଟେନଲେସ ଷ୍ଟିଲ୍‌ ଉତ୍ପାଦନ କ୍ଷମତା ୧.୧ ନିୟୁତ ଟନରୁ ୩.୨ ନିୟୁତ ଟନକୁ ବୃଦ୍ଧି କରାଯିବ। ଏଥସହିତ କୋଲ୍ଡ ରୋଲିଂ ମିଲ୍‌ କ୍ଷମତାକୁ ବାର୍ଷିକ ୦.୮ ନିୟୁତ ଟନରୁ ୨.୪ ନିୟୁତ ଟନକୁ ବଢ଼ାଯିବ। ଏଥିପାଇଁ କମ୍ପାନି ୬୮୪୦ କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପରେ ୨୨୩୬ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିଭଳି ଏସାର ମିନମେଟ୍‌ ଲିମିଟେଡର ୬୬୫୦ କୋଟି ଟଙ୍କା ମେଗା ନିବେଶ ପ୍ରକଳ୍ପକୁ ମଧ୍ୟ ସବୁଜ ସ‌ଂକେତ ମିଳିଛି। ଏହି କମ୍ପାନି କେନ୍ଦୁଝର ଓ ପାରାଦୀପଠାରେ ପୁଞ୍ଜି ଖଟାଇବ। କମ୍ପାନି ବାର୍ଷିକ ୧୪ ନିୟୁତ ଟନ କ୍ଷମତା ବିଶିଷ୍ଟ ବେନିଫିସିଏସନ, ୧୪ ନିୟୁତ ଟନ କ୍ଷମତା ବିଶିଷ୍ଟ ପେଲେଟ୍‌ ପ୍ଲାଣ୍ଟ, ୧୪ ନିୟୁତ ଟନ ବିଶିଷ୍ଟ ସ୍ଲରି ପାଇପଲାଇନ୍‌ ପ୍ରକଳ୍ପ ସ୍ଥାପନ କରିବ। ଏହି ପ୍ରକଳ୍ପ ବାବଦ ପୁଞ୍ଜି ନିବେଶ ଫଳରେ ୧୪୬୮ ଜଣରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ।

ଚତୁର୍ଥ ପ୍ରସ୍ତାବଟି ହେଲା କେନ୍ଦୁଝରଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ଲିମିଟେଡର ପ୍ରକଳ୍ପ। କେନ୍ଦୁଝରଠାରେ ଉକ୍ତ କମ୍ପାନିର ବେନିଫିସିଏସନ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୧୦.୭୬ ନିୟୁତ ଟନରୁ ୧୬.୭୬ ନିୟୁତ ଟନକୁ ବୃଦ୍ଧି ପାଇବ। ଏଥିସହିତ ପାରାଦୀପଠାରେ ଥିବା କମ୍ପାନିର ପେଲେଟ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୬ ନିୟୁତ ଟନରୁ ୧୨ ନିୟୁତ ଟନକୁ ବଢ଼ାଯିବ। ଏସବୁ ବାବଦରେ ଏହି କମ୍ପାନି ୨୦୦୦ କୋଟି ଟଙ୍କା ନିବେଶ କରିବ। ଉକ୍ତ ନିବେଶ ଫଳରେ ୬୫୫ ଜଣରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଉଚ୍ଚସ୍ତରୀୟ କମିଟିର ମଞ୍ଜୁରି ଲାଭ କରିଥିବା ପଞ୍ଚମ ପ୍ରକଳ୍ପଟି ହେଲା ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ ଦ୍ବାରା ସ୍ଥାପିତ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ। ସମ୍ବଲପୁରର ପାଣ୍ଡୋଲୋଇସ୍ଥିତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୦.୭୭ ନିୟୁତ ଟନରୁ ୨.୩୭୩ ନିୟୁତ ଟନକୁ ବଅଦ୍ଧି କରାଯିବ। ଶ୍ୟାମ ମେଟାଲିକ୍ସ ୧୨୦୫ କୋଟି ଟଙ୍କା ନିବେଶ କରିବ। ଏହି ନିବେଶ ଫଳରେ ୩୨୭୦ରୁ ଅଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବ।

ରାଜ୍ୟର ଦ୍ରୁତ ଶିଳ୍ପାୟନ ଉପରେ ଆଜିର ଏଚ୍‌ଏଲ୍‌ସିଏ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି। ରାଜ୍ୟର ଦ୍ରୁତ ଶିଳ୍ପାୟନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ସବୁ ବିଭାଗ ସମନ୍ବୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି ତାଙ୍କୁ ନିୟମିତ ଭାବେ ଅବଗତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ରାଜ୍ୟକୁ ଏସବୁ ନିବେଶ ପ୍ରସ୍ତାବ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ରାଜ୍ୟର ଶିଳ୍ପ ଅର୍ଥନୀତିରେ ଶୀଘ୍ର ସୁଧାର ଆସିଛି। ଚଳିତବର୍ଷ ଫେବ୍ରୁଆରି ଠାରୁ ଇତିମଧ୍ୟରେ ରାଜ୍ୟ ସରକାର ୧ ଲକ୍ଷ ୧୭ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏଥିଯୋଗୁ ୫୩ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂ, ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜସ୍ବ, ଶିଳ୍ପ, ୫-ଟି ବିଭାଗର ସଚିବ ଓ ଇଡକୋ ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର