ଆର୍‌ଟିଓ କର୍ମଚାରୀଙ୍କ ପାଇଁ ୫୦ ଲକ୍ଷର ବୀମା: ଘରୋଇ ଗାଡ଼ିର ଡ୍ରାଇଭର, ହେଲ୍‌ପର୍‌ ବି ପାଇବେ ସୁବିଧା

କଟକ: କରୋନା ସଂକ୍ରମଣରେ ପ୍ରାଣ ହରାଇଲେ ରାଜ୍ୟ ପରିବହନ ବିଭାଗର ଅଧିକାରୀ, କର୍ମଚାରୀ ଓ ଆରଟିଓ ଦ୍ବାରା ବ୍ୟବହାର ହେଉଥିବା ଘରୋଇ ଗାଡ଼ିର ଡ୍ରାଇଭର, କର୍ମଚାରୀଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା। ରାଜ୍ୟରେ ‘କୋଭିଡ-୧୯’ ଲଢେଇରେ ଏମାନେ ସାମିଲ ହୋଇଥିବାରୁ ସେମାନଙ୍କ ପାଇଁ ଏଭଳି ବୀମା ବ୍ୟବସ୍ଥା କରାଯାଇଛି। ଏମାନେ ରାଜ୍ୟର ସୀମା ଚେକପୋଷ୍ଟରେ ଡ୍ୟୁଟି କରୁଥିବାରୁ ସେମାନଙ୍କୁ ସଂକ୍ରମଣ ଆଶଙ୍କା ରହିଛି। ତେଣୁ ଏମାନେ ଯଦି କରୋନା ସଂକ୍ରମଣରେ ପ୍ରାଣ ହରାନ୍ତି, ତାଙ୍କ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବାକୁ ପରିବହନ କମିସନରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ରାଜ୍ୟର ସମସ୍ତ ଆରଟିଓ ଅଧିକାରୀଙ୍କୁ ଦିଆଯାଇଛି।

ସୂଚନା ଅନୁଯାୟୀ, ‘କୋଭିଡ-୧୯’ କାର୍ଯ୍ୟକ୍ରମରେ ରାଜ୍ୟରେ ପାଖାପାଖି ୫ ହଜାର ଘରୋଇ ଗାଡ଼ିକୁ ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଇଛି। ଏମାନଙ୍କ ମଧ୍ୟରେ ବସ୍, ଟାଟା ମ୍ୟାଜିକ, ବୋଲେରୋ, ଆମ୍ବୁଲାନ୍ସ ଇତ୍ୟାଦି ରହିଛି। ଘରୋଇ ବସ୍ ଗୁଡ଼ିକୁ ଓଡ଼ିଶାରେ ଫସିଥିବା ଶ୍ରମିକଙ୍କୁ ରାଜ୍ୟବାହାରକୁ ନେବାରେ ନିୟୋଜିତ କରାଯାଉଛି। ସେହିପରି ଟ୍ରେନରେ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ଟାଟା ମ୍ୟାଜିକ ଓ ବୋଲେରୋ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଉଛି। ଘରୋଇ ଆମ୍ବୁଲାନ୍ସ ଏବଂ ଘରୋଇ ଚାରିଚକିଆ ଗାଡ଼ିଗୁଡ଼ିକ ଆମ୍ବୁଲାନ୍ସ ଭାବେ ମଧ୍ୟ ବ୍ୟବହାର କରାଯାଉଛି। ଏହି ଗାଡ଼ିଗୁଡ଼ିକ ଆରଟିଓ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଦିଆଯାଇଛି। ଏଥିରେ ଥିବା ଡ୍ରାଇଭର୍ ଏବଂ ହେଲପର ସିଧାସଳଖ ଭାବେ କରୋନ ସଂକ୍ରମିତ ଏବଂ ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ସେମାନଙ୍କର କରୋନାରେ ମୃତ୍ୟୁ ଘଟିଲେ ପରିବାର ଲୋକଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

କେବଳ କଟକ ଜିଲ୍ଲାର ପାଖାପାଖି ୧୫୦ ଘରୋଇ ଗାଡ଼ିକୁ ‘କୋଭିଡ-୧୯’ କାର୍ଯ୍ୟକ୍ରମରେ ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନକୁ ଆରଟିଓ ପକ୍ଷରୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ରାଜ୍ୟର ୧୨ଟି ନିର୍ଧାରିତ ସୀମା ଚେକ୍‌ପୋଷ୍ଟ ଦେଇ ବାହାର ରାଜ୍ୟର ଗାଡ଼ି ଓଡ଼ିଶା ଭିତରକୁ ଆସୁଛନ୍ତି। ସେହି ପୋଷ୍ଟଗୁଡ଼ିକରେ ନିକଟସ୍ଥ ଆରଟିଓର ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଆଉଟସୋର୍ସିଂ କର୍ମଚାରୀଙ୍କୁ ବି ନିୟୋଜିତ କରାଯାଉଛି। ତେବେ, ସେମାନେ ରାଜ୍ୟ ବାହାରୁ ଆସୁଥିବା ଗାଡ଼ିଗୁଡ଼ିକ ଯାଞ୍ଚ ସମୟରେ ଡ୍ରାଇଭର ଏବଂ ଯାତ୍ରୀଙ୍କ ସଂସ୍ପର୍ଶରେ ଆସୁଛନ୍ତି। ସଂକ୍ରମଣ ହେବାର ଆଶଙ୍କା ଥିବାରୁ ସେମାନଙ୍କ ମଧ୍ୟ କୌଣସି ଅଘଟଣ ଘଟିଲେ ଆରଟିଓର ଅଫିସର, କର୍ମଚାରୀ ଏବଂ ଆଉଟସୋର୍ସିଂ କର୍ମଚାରୀଙ୍କ ପରିବାରକୁ ମଧ୍ୟ ଏଥିପାଇଁ ୫୦ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ଏ ସମ୍ପର୍କରେ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ୩୫ଟି ଆରଟିଓ ଏବଂ ୩ଟି ଏଆଇଟିଓଙ୍କୁ ସୂଚନା ଦିଆଯାଇଛି। ସୀମା ଚେକ୍‌ପୋଷ୍ଟରେ ସମସ୍ତଙ୍କ ତାଲିକା ପ୍ରସ୍ତୁତ କରିବାକୁ ଆରଟିଓ ଓ ଏଆରଟିଓଙ୍କୁ ଏସଟିଏ(ରାଜ୍ୟ ପରିବହନ କମିସନର)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର