ଆଇନ ଜାଲରେ ୫ ପୌରସଂସ୍ଥା

ରାଉରକେଲା, ସମ୍ବଲପୁର, ଓଡ଼ଗାଁ, ନୂଆପଡ଼ା, କେନ୍ଦ୍ରାପଡ଼ାରେ ଅନିଶ୍ଚିତତା

ଭୁବନେଶ୍ବର : ରାଜ୍ୟର ୧୧୫ଟି ପୌର ସଂସ୍ଥାରୁ ୧୦୮ଟିରେ ନିର୍ବାଚନ କରିବାକୁ ନଗର ଉନ୍ନୟନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ହିନ୍ଦୋଳ ଓ ଅତାବିରାରେ ଏବେ ନିର୍ବାଚିତ ପ୍ରତିନିଧି ଥିବାରୁ ଏଠାରେ ନିର୍ବାଚନ ହେବନି। ବାକି ପୌର ସଂସ୍ଥାଗୁଡ଼ିକୁ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିପାଇଁ ଏବେ ସବୁ ପୌରସଂସ୍ଥା ଚଳଚଞ୍ଚଳ ହୋଇଉଠିଛି। ହେଲେ ରାଜ୍ୟର ୫ଟି ପୌରସଂସ୍ଥାରେ ଏବେ ନିର୍ବାଚନର ଗନ୍ଧ ବି ନାହିଁ। ଆଇନ ଜାଲରେ ଫସିଥିବା ସମ୍ବଲପୁର ମହାନଗର ନିଗମ, ରାଉରକେଲା ମହାନଗର ନିଗମ, କେନ୍ଦ୍ରାପଡ଼ା ପୌରପାଳିକା, ଓଡଗାଁ ଏନ୍‌ଏସି ଓ ନୂଆପଡ଼ା ଏନ୍‌ଏସିରେ କେବେ ପୌର ନିର୍ବାଚନ ହେବ ତାହାକୁ ନେଇ ପ୍ରଶ୍ନ ଉଠିଛି। ୫ଟି ପୌରସଂସ୍ଥାରେ ସମାନ କାରଣ ପାଇଁ ନିର୍ବାଚନ ପ୍ରକ୍ରିୟା ଅଟକିଥିବା ବେଳେ ନଗର ଉନ୍ନୟନ ବିଭାଗ ନିରବଦ୍ରଷ୍ଟା ସାଜିବା ସମସ୍ତଙ୍କୁ ବିସ୍ମିତ କରିଛି।

Zee News

ସମ୍ବଲପୁର ଓ ରାଉରକେଲା ପୌରପାଳିକାକୁ ୨୦୧୬ରେ ମହାନଗର ନିଗମ ମାନ୍ୟତା ମିଳିଥିଲେ ହେଁ ଏଠାରେ ଏପର୍ଯ୍ୟନ୍ତ ନିର୍ବାଚନ ହୋଇପାରିଲାନି। ସମ୍ବଲପୁର ପୌରପାଳିକା ଥିବାବେଳେ ୩୧ଟି ୱାର୍ଡ ଥିଲା। ମହାନଗର ନିଗମ ହେବାପରେ ଏଠାରେ ୪୧ଟି ୱାର୍ଡ ପାଇଁ ନିଷ୍ପତ୍ତି ହୋଇଥିଲା। ବୁର୍ଲାର ୫ଟି ୱାର୍ଡକୁ ସଂରକ୍ଷିତ କରିଦେବାରୁ ମାମଲା ହାଇକୋର୍ଟରେ ପହଞ୍ଚିଲା। କୋର୍ଟ ରାଜ୍ୟ ସରକାରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କଲେ। ରାଜ୍ୟ ସରକାର ଉତ୍ତର ଦେଉନଥିବାରୁ ୫ବର୍ଷ ହେଲା ମାମଲା ହାଇକୋର୍ଟରେ ଗଡ଼ୁଛି।

ସେହିପରି ରାଉରକେଲା ମହାନଗର ନିଗମ ହେବା ପରେ ୱାର୍ଡ ସଂଖ୍ୟା ୪୦କୁ ବୃଦ୍ଧି ପାଇଥିଲା। ଝାଡ଼ତରଙ୍ଗ ଓ ଝିରପରି ଜଗଦା ପଞ୍ଚାୟତ ଅଞ୍ଚଳ ହୋଇଥିବାରୁ ଏଠାରେ ଗ୍ରାମସଭା କରି ଲୋକଙ୍କ ମତାମତ ନେଇ ମହାନଗର ନିଗମରେ ସାମିଲ୍‌ କରିବାର ଥିଲା। ଯାହା ରାଜ୍ୟ ସରକାର କଲେନି। ତେଣୁ ଏହି ଦୁଇ ପଞ୍ଚାୟତବାସୀ ହାଇକୋର୍ଟରେ କେସ୍‌ କଲେ। ୫ବର୍ଷ ହେଲା ମାମଲା କୋର୍ଟରେ ଗଡ଼ୁଛି।

Twitter

ରାଜ୍ୟର ସର୍ବପୁରାତନ ମ୍ୟୁନିସପାଲଟି କେନ୍ଦ୍ରାପଡ଼ାରେ ଏଥର ନିର୍ବାଚନ ନେଇ ବାଟ ଫିଟିଥିଲେ ହେଁ ନଗର ଉନ୍ନୟନ ବିଭାଗ ଏନେଇ କିଛି ବି ପଦକ୍ଷେପ ନେଇନି। କେନ୍ଦ୍ରାପଡ଼ା ପୌରପାଳିକାରେ ଆସନ ସଂରକ୍ଷଣକୁ ବିରୋଧ କରି ଜଣେ ପୂର୍ବତନ କାଉନସିଲର ୨୦୧୬ରେ ହାଇକୋର୍ଟରେ କେସ୍ କରିଥିଲେ ହେଁ ସେ ଏବେ ଏହାକୁ ପ୍ରତ୍ୟାହାର କରିନେଇଛନ୍ତି। ନିର୍ବାଚନ ପାଇଁ ବାଟ ଫିଟିଥିଲେ ମଧ୍ୟ କେବେ ‌ପ୍ରକ୍ରିୟା ଆରମ୍ଭ ହେବ, ତାହା ସ୍ପଷ୍ଟ ହୋଇନି।

Twitter

ନୂଆପଡ଼ାକୁ ୨୦୧୩ରେ ଏନ୍‌ଏସି ମାନ୍ୟତା ମିଳିଥିବାବେଳେ ଏଠାରେ ଥରଟିଏ ନିର୍ବାଚନ ହେବା ପରେ ଏହା ଆଇନ ଫାଶରେ ଫସିଯାଇଛି। ୨୦୧୩ରେ ଏନ୍‌ଏସି ଅଧ୍ୟକ୍ଷ ପଦବି ଏସ୍‌ସିମାନଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୨୦୧୮ରେ ଏହା ଏସ୍‌ଟି ବର୍ଗଙ୍କ ସଂରକ୍ଷିତ ହୋଇଥିଲା। ଏହି ସଂରକ୍ଷଣକୁ ବିରୋଧ କରି ଜଣେ ପୂର୍ବତନ କାଉନସିଲର ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାରୁ ଏଠାରେ ପୂରା ନିର୍ବାଚନ ବନ୍ଦ ହୋଇଯାଇଛି। ଅପରପକ୍ଷେ ଓଡ଼ଗାଁକୁ ୨୦୧୭ରେ ଏନ୍‌ଏସି ମାନ୍ୟତା ମିଳିଥିଲେ ହେଁ ଏଠାରେ ନିର୍ବାଚନ ହୋଇପାରୁନି। ଏଠାରେ ୧୫ଟି ୱାର୍ଡକୁ ନେଇ ଏନ୍‌ଏସି ହୋଇଥିଲେ ମଧ୍ୟ କିଛି ଲୋକ ଅଧିକ ଅଞ୍ଚଳ ସାମିଲ୍ କରିବାକୁ ଦାବି କରିଛନ୍ତି। ମାମଲା ହାଇକୋର୍ଟରେ ପହଞ୍ଚିଛି। ତେଣୁ କାଉନସିଲ୍ ଗଠନ ହୋଇପାରୁନି।

ସୂଚନାଯୋଗ୍ୟ ଯେ ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଜିଲ୍ଲାପାଳମାନେ ପୌରପାଳିକା ଓ ଏନ୍‌ଏସିରେ ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣର ଚିଠା ବିଜ୍ଞପ୍ତି ୯ ତାରିଖରେ ପ୍ରକାଶ କରିବେ। ୧୮ତାରିଖ ସୁଦ୍ଧା ଲୋକମାନେ ସେମାନଙ୍କ ଅଭିଯୋଗ ପ୍ରସ୍ତାବ ଜିଲ୍ଲାପାଳଙ୍କୁ ଦେବେ। ଜିଲ୍ଲାପାଳମାନେ ଏହା ଉପରେ ବିଚାର କରି ନଭେମ୍ବର ୨୯ରେ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିବେ।

ସମ୍ବନ୍ଧିତ ଖବର