୫ ମହାନଗର ନିଗମରେ ଷ୍ଟ୍ରିଟ୍‌ ଲାଇଟ୍‌ ଟାର୍ଗେଟ୍‌ ଫେଲ୍‌

ଭୁବନେଶ୍ୱର : ସମସ୍ତ ପୌରାଞ୍ଚଳରେ ଏଲ୍‌ଇଡି ଷ୍ଟ୍ରିଟ ଲାଇଟ୍‌ ଲଗାଇବାକୁ ନଗର ଉନ୍ନୟନ ବିଭାଗ ଯୋଜନା କରିଛି। ଏଥିରେ ପୂର୍ବରୁ ଲାଗିଥିବା ସୋଡିୟମ୍‌ ଲାଇଟ୍‌ ବଦଳାଇ ଏଲ୍‌ଇଡି ଲାଇଟ୍‌ ଲଗାଇବା ଏବଂ ଯେଉଁ ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ ସେଠାରେ ଏଲ୍‌ଇଡି ଲାଇଟ୍‌ ଲଗାଇବାକୁ ଯୋଜନା ହୋଇଛି। ଅଗ୍ରାଧିକାର ଭିତ୍ତିରେ ରାଜ୍ୟର ୫ଟି ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁରରେ ଏଲ୍‌ଇଡି ଲାଇଟ୍‌ ଲଗାଇବାକୁ କୁହାଯାଇଛି। କିନ୍ତୁ ମେ ମାସରେ ଯେତିକି ଟାର୍ଗେଟ୍‌ ଦିଆଯାଇଥିଲା ତାହା ପୂରଣ ହୋଇନି।

ନଗର ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୫ଟି ଯାକ ମହାନଗର ନିଗମରେ ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ନିଭ୍‌ ଏନର୍ଜି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏଥିରେ ନୂଆ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ସହ ସୋଡିୟମ ଲାଇଟ୍‌ ବଦଳାଇବାକୁ କୁହାଯାଇଛି। ଏଥିପାଇଁ ମେ ମାସରେ ୨୦ହଜାର ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାକୁ କୁହାଯାଇଥିବାବେଳେ ମାତ୍ର ୧୪,୯୭୬ଟି ଲାଇଟ୍‌ ଲାଗିଛି।

ସେହିପରି ୫ଟି ଯାକ ମହାନଗର ନିଗମରେ ୨୦,୮୫୧ଟି ଷ୍ଟ୍ରିଟ୍‌ ଲାଇଟ୍‌ର ସ୍ଥିତି ସର୍ଭେ କରିବା, କେତେ ଲାଇଟ୍‌ ବଦଳିବ, କେତେ ନୂଆ ଲାଗିବ ସେନେଇ ତାଲିକା ପ୍ରସ୍ତୁତ କରିବାକୁ ଟାର୍ଗେଟ୍‌ ଦିଆଯାଇଥିଲା ହେଁ ମାତ୍ର ୭୩୩୬ଟି ଷ୍ଟ୍ରିଟ୍‌ ଲାଇଟ୍‌ ସର୍ଭେ ସରିଛି। ଟାର୍ଗେଟର ୪୦% ସର୍ଭେ କରି ସଂସ୍ଥା ବସିଯାଇଛି। ଏନେଇ କର୍ତ୍ତୃପକ୍ଷ ତାଗିଦ୍‌ କରିବାରୁ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଲାଇନ୍‌ ମ୍ୟାନ ନମିଳିବାରୁ ସର୍ଭେ ହୋଇପାରିନି। ଜୁନ୍‌ ମାସର ଟାର୍ଗେଟ୍‌ ସହ ମେ’ ମାସର ଟାର୍ଗେଟ୍‌ ପୂରଣ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଗିଦ୍‌ କରାଯାଇଛି।

ସମ୍ବନ୍ଧିତ ଖବର