କୋରାପୁଟରେ ଏନ୍‌କାଉଣ୍ଟର : ୫ ମାଓବାଦୀ ନିପାତ, ବିପୁଳ ମାଓ ସାମଗ୍ରୀ ଜବତ

ଭୁବନେଶ୍ବର/କୋରାପୁଟ : ମାଓ ଦମନ ଅପରେସନରେ କୋରାପୁଟ ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। କୋରାପୁଟ ଜିଲ୍ଲା ପାଡୁଆ ଥାନା କିତବା ଜଙ୍ଗଲ‌ରେ ୫ଜଣ ମାଓବାଦୀଙ୍କୁ ଆଜି ଏନକାଉଣ୍ଟର କରି ମାରିଛି ପୁଲିସ। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ମାଓବାଦୀ ରହିଛନ୍ତି। ଏଥିସହିତ ଏକ ମାଓ କ୍ୟାମ୍ପକୁ ସମ୍ପୂର୍ଣ୍ଣ ଧ୍ବ˚ସ କରାଯାଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଏହା ଜିଲ୍ଲାରେ ସବୁଠାରୁ ବଡ଼ ମାଓ ଅପରେସନ ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ଏଭଳି ଏକ ଅପରେସନ ଦିନରେ କରାଯାଇଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଗୁଳିବିନିମୟରେ କୌଣସି ଯବାନ ଆହତ ହୋଇ ନାହାନ୍ତି। ମୃତ ମାଓବାଦୀଙ୍କ ପରିଚୟ ମିଳିନଥିଲେ ମଧ୍ୟ ଏମାନେ ନନ୍ଦପୁର ଏରିଆ କମିଟି ସଦସ୍ୟ ବୋଲି ଜଣାପଡ଼ିଛି। ଟିମ୍‌ରେ ପାଖାପାଖି ୧୦ରୁ ୧୫ ଜଣ ଥିଲେ। ଗୁଳିବିନିମୟ ବେଳେ ଅନ୍ୟମାନେ ଖସି ଯିବାକୁ ସକ୍ଷମ ହୋଇଛନ୍ତି। କୁମ୍ବିଂ ଅପରେସନ ଚାଲିଛି। ଅନ୍ୟମାନଙ୍କୁ ଧରାଯିବା ସମ୍ଭାବନା ରହିଛି। ଆନ୍ଧ୍ର ପୁଲିସ ସହ ମଧ୍ୟ ଯୋଗାଯୋଗ କରାଯାଇଛି। ଗୁଇନ୍ଦା ସୂଚନା ତଥା ଅନ୍ୟାନ୍ୟ ସହାୟତା ପାଇଁ ଆନ୍ଧ୍ର ପୁଲିସ ସଜାଗ ରହିଛି। ଏହା ପୁଲିସ ପାଇଁ ଏକ ବଡ଼ ଧରଣର ସଫଳତା ବୋଲି ଡିଜି କହିଛନ୍ତି।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଡେଲ ପଞ୍ଚାୟତର କିତବା ଓ କାଣ୍ଟି ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ନେଇ କୋରାପୁଟ ପୁଲିସ ପାଖରେ ଖବର ପହଞ୍ଚିଥିଲା। ଦିନରେ ହିଁ ଅପରେସନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଏଭଳି ଅପରେସନ ରାତିରେ ହିଁ କରାଯାଉଥିଲା। କିନ୍ତୁ ମାଓବାଦୀମାନେ ଏବେ ଗୋଟିଏ ସ୍ଥାନରେ ନ ରହି ତୁରନ୍ତ ସ୍ଥାନ ପରିବର୍ତ୍ତନ କରୁଥିବାରୁ ଏଭଳି ଏକ ରିସ୍କ ନିଆଯାଇଥିଲା। ଦୁଇଟି ଟିମ୍‌ ଗଠନ କରାଯାଇଥିଲା। ଏଥିରେ ଡିଭିଏଫ ଓ ଏସଓଜି ଯବାନ ସାମିଲ ହୋଇଥିଲେ। ଘଟଣାସ୍ଥଳ ଆନ୍ଧ୍ର ସୀମାରୁ ୧୫ କିଲୋମିଟର ଓଡ଼ିଶା ଭିତରକୁ ଥିଲା। ଏହି ସ୍ଥଳକୁ ଚାରିପଟୁ ଘେରାଯାଇଥିଲା। ଏସ୍‌ଓଜି ଯବାନ୍‌ମାନେ କୁମ୍ବିଂ କରୁଥିବା ବେଳେ ଡିଭିଏଫ୍‌ ମାଓବାଦୀ ଖସିଯିବା ରାସ୍ତାକୁ ଜଗି ରହିଥିଲେ। କମ୍ବି˚ କରୁଥିଲା ବେଳେ ମାଓବାଦୀ ସାମ୍ନାରୁ ଗୁଳିମାଡ଼ କରିଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇଥିଲେ। ଅପରାହ୍ନ ୨ଟା ୪୫ ମିନିଟରୁ ପ୍ରାୟ ଅଧ ଘଣ୍ଟା ଧରି ପୁଲିସ-ମାଓବାଦୀଙ୍କ ମଧ୍ୟ‌ରେ ଏଭଳି ଗୁଳି ବିନିମୟ ଚାଲିଥିଲା। ଏଥିରେ ୩ ଜଣ ମହିଳାଙ୍କ ସମେତ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।ଏମାନଙ୍କ ମଧ୍ୟରେ ଏରିଆ କମିଟି ମେମ୍ବର ଓ ଡିଭିଜନାଲ କମିଟି ମେମ୍ବର ରୢାଙ୍କର ସଦସ୍ୟ ରହିଛନ୍ତି। ସେହିପରି ପୁଲିସ ସହ ଗୁଳି ବିନିମୟରେ ଜଣେ କ୍ୟାଡର ମାଓବାଦୀ ଆହତ ହୋଇଥିବା ଜଣାପଡିଛି। ତେବେ ତା ସହିତ କିଛି ଟପ ମାଓବାଦୀ ଖସି ଯାଇଥିବା ସନ୍ଦେହ କରାଯାଉଛି। ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଚାଲିଛି। ଆଖପାଖ ଅ˚ଚଳରେ ଜୋରଦାର କମ୍ବି˚ ଚାଲିଛି। ମାଓବାଦୀମାନେ ଆଖପାଖ ଅଂଚଳରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିବା ଅନୁମାନ କରାଯାଉଛି। ତେଣୁ ଯବାନମାନେ ଗାଁରେ ମଧ୍ୟ ତଲାସି ଜାରି ରଖିଛନ୍ତି। ଗୁଳି ବିନିମୟ ପରେ ୫ଟି ମୃତଦେହ ଉଦ୍ଧାର କରାଯିବା ସହ ମାଓ କ୍ୟାମ୍ପକୁ ସମ୍ପୂର୍ଣ୍ଣ ଧ୍ବ˚ସ କରାଯାଇଛି। ଏହି କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଏଥିରେ ବନ୍ଧୁକ, ଗୁଳିଗୋଳା ଓ ମାଓ ବ୍ୟବହାର ସାମଗ୍ରୀ ରହିଛି।

ଡିଜିଙ୍କ ସୂଚନା ମୁତାବକଳ ୨ଟି ଇନସାସ ରାଇଫଲ, ୨ଟି ଏସଏଲଆର ରାଇଫଲ, ବ୍ୟାଟେରି ଚାର୍ଜର, ସୋଲାର ପ୍ୟାନେଲ, ରନ୍ଧା ସାମଗ୍ରୀ, ଔଷଧ ଓ ବହୁତ କିଟ୍‌ ଜବତ କରାଯାଇଛି। ଗୁଳି ବିନିମୟ ସମ୍ପର୍କରେ ସୂଚନା ଦେଇ ଏସପି ଡ. କନୱର ବିଶାଳ ସିଂହ କହିଛନ୍ତି ଯେ, କୋରାପୁଟ ଡିଭିଜନର ନନ୍ଦପୁର ଏରିଆ କମିଟିର କିଛି ସଦସ୍ୟ କ୍ୟାମ୍ପ କରିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପହଞ୍ଚିବା ପରେ ଅପରେସନ ପାଇଁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଯୋଜନା କରାଯାଇଥିଲା।

ସମ୍ବନ୍ଧିତ ଖବର