ସିର୍‌କି ଜଙ୍ଗଲରେ ଏନ୍‌କାଉଣ୍ଟର : ୫ ମାଓବାଦୀ ନିହତ, ମୃତକଙ୍କ ମଧ୍ୟରେ ୩ ମହିଳା କ୍ୟାଡର୍‌

ଜଣେ ଏସ୍‌ଓଜି ଯବାନ ଗୁରୁତର, ଏସ୍‌ଏଲ୍‌ଆର୍ ଓ ଦେଶୀ ବନ୍ଧୁକ ଜବତ, କମ୍ବିଂ ଅପରେସନ୍ ଜୋର୍‌ଦାର

ଫୁଲବାଣୀ/ଭବାନୀପାଟଣା : କନ୍ଧମାଳ-କଳାହାଣ୍ଡି ସୀମାନ୍ତ ସିର୍‌କି ଜଙ୍ଗଲରେ କଳାହାଣ୍ଡି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ପୁଲିସ ଗୁଳିରେ ୫ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ମାଓବାଦୀଙ୍କ ମଧ୍ୟରେ ୩ଜଣ ମହିଳା ଓ ୨ ଜଣ ପୁରୁଷ ଥିବା କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମାଓବାଦୀଙ୍କ ଗୁଳିରେ ଜଣେ ଏସ୍‌ଓଜି ଯବାନ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ପରେ ଦୁଇ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଥିବାବେଳେ ସମଗ୍ର ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରାଦାର କରାଯାଇଛି। ପୁଲିସ ପକ୍ଷରୁ ଅଧିକ ଏସ୍‌ଓଜି, ଡିଭିଏଫ୍‌ କୋବ୍ରା ଓ ସିଆର୍‌ପିଏଫ୍‌ ଫୋର୍ସକୁ କମ୍ବିଂ ଓ ସର୍ଚ୍ଚ ଅପରେସନ ପାଇଁ ପଠାଯାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ‌ଯେ ମାଓବାଦୀ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତ ନିକଟ ସିର୍‌କି ଜଙ୍ଗଲରେ କଳାହାଣ୍ଡି ଓ କନ୍ଧମାଳର ଏସ୍‌ଓଜି ଓ ଡିଭିଏଫ୍‌‌ ଯବାନମାନେ କମ୍ବିଂ ଅପରେସନ୍ କରୁଥିଲେ। ଏ ସମୟରେ ମାଓବାଦୀଙ୍କ ପଟୁ ହଠାତ୍ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଜବାବରେ ଯବାନମାନେ ମାଓବାଦୀଙ୍କ ଉପରକୁ ପାଲଟା ଗୁଳିଚାଳନା କରିଥିଲେ। ପ୍ରାୟ ଅଧଘଣ୍ଟା ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇଥିଲେ। ପରେ ଆଜି ଦିନ ପ୍ରାୟ ୧୧ଟାବେଳେ ଗୁଳି ବିନିମୟ ହୋଇଥିବା ସ୍ଥାନରେ ସର୍ଚ୍ଚ ଅପରେସନ୍ ବେଳେ ୫ ସଶସ୍ତ୍ର ମାଓବାଦୀଙ୍କ ଶବ ମିଳିଥିଲା। ଏହା ବ୍ୟତୀତ ଘଟଣାସ୍ଥଳରୁ ୨ଟି ଏସ୍‌ଏଲ୍‌ଆର୍‌ ବନ୍ଧୁକ ଓ ୪ଟି ଦେଶୀ ବନ୍ଧୁକ ସମେତ ବିଭିନ୍ନ ମାଓ ବ୍ୟବହାର ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଉଦ୍ଧାର ଜବତ କରାଯାଇଥିଲା।

ଅନ୍ୟପକ୍ଷରେ ଏହି ଘଟଣା ପରେ ସେଠାକୁ ଅଧିକ ପୁଲିସ ଓ ଯବାନଙ୍କୁ ପଠାଯାଇଛି। ଏହାପରେ କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି। ଏହାସହ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ମାଓ ପ୍ରଭାବିତ ଇଲାକା ଓ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ବୋଲି କନ୍ଧମାଳ ଏସ୍‌.ପି. ଭିନୀତ୍‌ ଅଗ୍ରୱାଲ୍‌ କହିଛନ୍ତି।

ସମ୍ବନ୍ଧିତ ଖବର