ହୀରାକୁଦ ତଳମୁଣ୍ଡରେ ନିର୍ମାଣ ହେବ ୫ଟି ନୂଆ ବ୍ୟାରେଜ୍‌

ଭୁବନେଶ୍ବର : ମହାନଦୀ ଦେଇ ସମୁଦ୍ରକୁ ବହିଯାଉଥିବା ଜଳକୁ ବ୍ୟାରେଜ୍‌ କରି ସଂରକ୍ଷଣ କରାଯିବ। ଏଥିପାଇଁ ହୀରାକୁଦର ତଳମୁଣ୍ଡରେ ୫ଟି ନୂଆ ବ୍ୟାରେଜ୍‌ ନିର୍ମାଣ କରିବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ବର୍ଷାଜଳ ସମେତ ନଦୀ ଜଳକୁ ସଞ୍ଚୟ କରି ଚାଷ କାର୍ଯ୍ୟରେ ଲଗାଇବାକୁ ସରକାର ଯୋଜନା କରିଛନ୍ତି। ତେବେ ଏ ନେଇ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ ଘୋଷଣା ହୋଇନଥିବାବେଳେ ପ୍ରାଥମିକ ସ୍ତରରେ ଏଥିପାଇଁ ସର୍ଭେ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ରାଜ୍ୟ ଜଳ ସେଚନ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ମାନେଶ୍ବର ଦେଓଗାଁରେ ନିର୍ମାଣ ହେବାକୁ ଥିବା ବ୍ୟାରେଜ୍‌ ପାଇଁ ୭୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ବ୍ୟାରେଜ୍‌ର ଉଚ୍ଚତା ୮.୫ ମିଟର ରହିବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ଖଇରମାଳରେ ୧୦୯.୮୫ କୋଟି ଟଙ୍କା ବ୍ୟୟରେ ୫.୫ ମିଟର ଉଚ୍ଚତା ବିଶିଷ୍ଟ ବ୍ୟାରେଜ୍‌ ନିର୍ମାଣ କରାଯିବା ସହ ବୌଦ୍ଧ ଜିଲ୍ଲା ଗୁଡ଼େଶ୍ବରରେ ୧,୦୬୬ କୋଟି ଟଙ୍କା ବ୍ୟୟରେ ୮ ମିଟର ଉଚ୍ଚତା ବିଶିଷ୍ଟ ବ୍ୟାରେଜ୍‌ ନିର୍ମାଣ କରିବାକୁ ଯୋଜନା ରହିଛି। ଜିଲ୍ଲାର କଣ୍ଟାମାଳ ବ୍ଲକ୍‌ କପାଶିରାଠାରେ ୮୩୫ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ବ୍ୟାରେଜ୍‌ର ଉଚ୍ଚତା ୯ ମିଟର ରହିବ। ଏହିପରି ୫ଟି ବ୍ୟାରେଜ୍‌ ଯୋଗୁଁ କୃଷିକ୍ଷେତ୍ରକୁ ଜଳସେଚନ ସୁବିଧା ସୁଦୃଢ଼ ହୋଇପାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଖରାଦିନେ ଉପର ମୁଣ୍ଡରୁ ପାଣି କମ ଆସୁଥିବା ବେଳେ ବିଦ୍ୟୁତ ଉତ୍ପାଦନ ପାଇଁ ପର୍ଯ୍ୟାପ୍ତ ଜଳ ମିଳୁନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ଏହିସବୁ ବ୍ୟାରେଜ୍‌ ନିର୍ମାଣ କରିବାକୁ ଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର