ଆଉ ୫ ଦୁର୍ନୀତିଗ୍ରସ୍ତ ଓ ଅପାରଗ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଉ ୫ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ଜଣାଯାଇଛି। ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ପୁଲିସ ଡି.ଏସ୍.ପି, ଓଏଏସ୍ ଅଫିସର, ପୁଲିସ ଇନ୍ସପେକ୍ଟର ଓ ୨ ଜଣ ମ୍ୟୁନିସିପାଲଟି ଏଜିକ୍ୟୁଟିଭ ଅଫିସର ପ୍ରମୁଖ ଅନ୍ତର୍ଭୁକ୍ତ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଏହି ୫ ଜଣଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ମହିଳା ବିରୋଧୀ ଅପରାଧ ତଦନ୍ତ କେନ୍ଦ୍ରରେ ଡି.ଏସ୍.ପି ଭାବରେ ନିଯୁକ୍ତ ଓଡ଼ିଶା ପୁଲିସ ସେବା ଅଧିକାରୀ ରବିନ୍ଦ୍ର କୁମାର ସେଠୀଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ସେ ଜଣେ ଅଭିଯୋଗକାରୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଇ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡ଼ିଥିଲେ ଏବଂ ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଠିକ୍ ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇର ପୂର୍ବତନ ତହସିଲଦାର ଓଏଏସ୍ ଅଧିକାରୀ ସୁଶୀଲ କୁମାର କୁଜୁରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ଅଛି। ଢେଙ୍କାନାଳ ସଦର ବ୍ଲକ୍‌ରେ ବିଡିଓ ଥିବାବେଳେ ସେ ମନରେଗା ପାଣ୍ଠି ଆତ୍ମସାତ କରିଥିଲେ। ବିଭିନ୍ନ ଗାଁରେ ଜାଲ କାଗଜପତ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦର୍ଶାଇ ସରକାରଙ୍କର ୨୪ ଲକ୍ଷ ୨୨ ହଜାର ୫୩୮ ଟଙ୍କା କ୍ଷତି ପହଞ୍ଚାଇଥିଲେ। ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅପାରଗତା, ଦୁର୍ନୀତି ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଏଣେ ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡାର ପୁଲିସ ଇନ୍‌ସପେକ୍ଟର ବିନୋଦ ବିହାରୀ ନାୟକଙ୍କ ବିରୁଦ୍ଧରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ସେ ବଙ୍ଗମୁଣ୍ଡାରୁ କୁଚିଣ୍ଡାକୁ ଏକ ମାରୁତି ସିଆଜ୍ କାର୍‌ରେ ଯାଉଥିବା ବେଳେ ବରଗଡ଼ ଟୋଲଗେଟ୍ ନିକଟରେ ଦୁର୍ନୀତି ନିବାରଣ ବିଭାଗର ଏକ ଟିମ୍ ଦ୍ବାରା ଧରା ପଡ଼ିଥିଲେ। ତାଙ୍କଠାରୁ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରାଯାଇଥିଲା। ବଙ୍ଗମୁଣ୍ଡାସ୍ଥିତ ତାଙ୍କ ସରକାରୀ ବାସଭବନରେ ତଲାସୀ ସମୟରେ ୩,୮୦,୯୨୦ ଟଙ୍କା ଜବତ କରାଯାଇଥିଲା। ତାଙ୍କ ଠାରୁ ସମୁଦାୟ ୫,୮୭,୧୪୦ ଟଙ୍କା ଜବତ କରାଯାଇଥିଲା। ୨୦୨୧ ନଭେମ୍ବର ୩୦ ତାରିଖ ଦିନ ସେ ଗିରଫ ହୋଇଥିଲେ। ଅଧିକ ତଦନ୍ତ ପରେ ଜଣାଯାଇଥିଲା ଯେ ସେ ଯେଉଁ ମାରୁତି କାର୍ (ଓଡି-୧୫କେ-୬୧୧୧) ରେ ଯାଉଥିଲେ, ତାହା ସମ୍ବଲପୁର ଜିଲ୍ଲା ଧନୁପାଲି ପୁଲିସ ଥାନା ଅନ୍ତର୍ଗତ ଏମ୍. ନାସିର ନାମକ ଜଣେ ବ୍ୟକ୍ତିଙ୍କୁ ପୁଅ ମହମ୍ମଦ ମଲିମଙ୍କ ନାମରେ ରହିଛି। ସେହି ବ୍ୟକ୍ତିଙ୍କ ନାମରେ ଧନୁପାଲି ଥାନାରେ ୪ଟି ମାମଲା ଓ ସମ୍ବଲପୁର ସଦର ପୁଲିସ ଥାନାରେ ଗୋଟିଏ ମାମଲା ରହିଛି। ଦୁର୍ନୀତି, ଅପାରଗତା ଓ ଦୁର୍ବ୍ୟବହାର ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିପରି ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନାଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଅସାଧୁତା, ଦାୟିତ୍ବରେ ଅବହେଳା, ଆର୍ଥିକ ଅନିୟମିତତା ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ପୂର୍ବତନ ନିର୍ବାହୀ ଅଧିକାରୀ ବିଜୟକୃଷ୍ଣ ନାୟକଙ୍କୁ ତାଙ୍କର ପୌରସେବା କାର୍ଯ୍ୟକାଳ ସମୟରେ ଅପାରଗତା, ଦାୟିତ୍ବରେ ଅବହେଳା, ନୈତିକ ସ୍ଖଳନ, ମହିଳାଙ୍କ ସହିତ ଅବୈଧ ସଂପର୍କ, ଜନସାଧାରଣଙ୍କୁ ପୌରସେବା ଯୋଗାଇଦେବା କ୍ଷେତ୍ରରେ ଅନାଗ୍ରହ, ସରକାରୀ ନିର୍ଦ୍ଦେଶାବଳୀର ଅବମାନନା ଏବଂ ଓଡ଼ିଶା ସରକାରୀ ସେବା ଆଚରଣ ବିଧି ୧୯୫୫ର ଉଲ୍ଲଙ୍ଘନ ଆଦି ବିଭିନ୍ନ କାରଣରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୧ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସମ୍ବନ୍ଧିତ ଖବର